ପାଟନା/ନୂଆଦିଲ୍ଲୀ: ପାଟନା ବାପୁ ସଭାଗାରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବିବାଦୀୟ ବୟାନ ପରେ ରାଜନୀତି ସରଗରମ। ଖଡଗେ କହିଥିଲେ ଯେ, ବଙ୍ଗାଳ, ବିହାର, ମହାରାଷ୍ଟ୍ର, ହରିୟାଣା ସରକାର ଚୋରି ସରକାର, ଭୋଟ ଚୋରି ସରକାର।
ଏହି ସମୟରେ ଜଣେ ବ୍ୟକ୍ତି କହିଥିଲେ ଯେ, “ମୋଦୀ କେବେ ଯିବେନି” – ଏହା ଶୁଣି ଖଡଗେ ମଞ୍ଚରୁ କହିଥିଲେ ଯେ, “ମୋଦୀ କା ବାପ ଭି ଜାଏଗା”।
ଅମିତ ଶାହାଙ୍କ ପଲଟା ପ୍ରହାର:
ଗୃହମନ୍ତ୍ରୀ ଅମିତ ଶାହା Xରେ ଲେଖିଛନ୍ତି ଯେ, “ଖଡଗେ ମୋଦୀଜୀଙ୍କ ପିତାଙ୍କ ବିଷୟରେ ଅଭଦ୍ର ଟିପ୍ପଣୀ କରି ସବୁ ମର୍ଯ୍ୟାଦା ଅତିକ୍ରମ କରିଦେଇଛନ୍ତି। ଏହା ପ୍ରଥମ ଥର ନୁହେଁ। କେବେ ପୂଜ୍ୟ ମା’ଙ୍କୁ ଅପଶବ୍ଦ, କେବେ ‘ମୌତ କା ସୌଦାଗର’, କେବେ ‘ଚା’ ୱାଲା’ କହି ଗରିବୀର ଉପହାସ କରିଛନ୍ତି।”
ଶାହା ଆହୁରି କହିଛନ୍ତି ଯେ, “ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ପ୍ରତିଦିନ ଅଭଦ୍ରତାର ସୀମା ପାର କରୁଛି। ୧୨ ବର୍ଷର ନିର୍ବାଚନୀ ପରାଜୟରେ ହତାଶ ହୋଇ କଂଗ୍ରେସ ପାଖରେ ନା ନୀତି ଅଛି ନା ପ୍ରସଙ୍ଗ, କେବଳ ଗାଳିଗୁଲଜ ରାଜନୀତି ବଞ୍ଚିଛି। ଯେତେବେଳେ ମୋଦୀଜୀ ବା ତାଙ୍କ ପରିବାରକୁ ଘୃଣ୍ୟ ଟିପ୍ପଣୀ କରାଯାଏ, ସେତେବେଳେ ଜନତା କଂଗ୍ରେସକୁ କଡ଼ା ଜବାବ ଦେଇଛନ୍ତି।”