ଭୁବନେଶ୍ୱର : ଆସନ୍ତା ୨୮/୨୯ ତାରିଖରେ ଆନ୍ଧ୍ର ପ୍ରଦେଶରେ ସ୍ଥଳ ଭାଗ ଛୁଇଁବାକୁ ଯାଉଥିବା ବାତ୍ୟା ‘ଅର୍ଣ୍ଣବ’ ଓଡ଼ିଶାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟାଇବ ବୋଲି ଆକଳନ କରାଯାଉଛି । ସମ୍ଭାବ୍ୟ ବାତ୍ୟାର କିପରି ମୁକାବିଲା କରାଯିବ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗୁଆ ପ୍ରସ୍ତୁତ ଆରମ୍ଭ ହୋଇଛି । ୮ ଜଣ ଆଇଏଏସ ଅଫିସରଙ୍କୁ ପ୍ରଭାବିତ ହବାକୁ ଥିବା ୮ ଜିଲା ଦାୟିତ୍ୱରେ ରଖିବା ପରେ ଏବେ ୮ ଜଣ ମନ୍ତ୍ରୀଙ୍କ ଉପରେ ଜିଲାଗୁଡିକର ତଦାରଖ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେମାନେ ହେଲେ କୋରାପୁଟ ଜିଲା ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ରାୟଗଡ଼ା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନ୍ଧମଳ ପାଇଁ ରବି ନାଏକ, ଗଞ୍ଜାମ ପାଇଁ ବିଭୂତି ଜେନା, ନବରଙ୍ଗପୁର ପାଇଁ କୃଷ୍ଣଚନ୍ଦ୍ର ପାତ୍ର, ମାଲକାନଗିରି ପାଇଁ ନିତ୍ୟାନନ୍ଦ ଗଣ୍ଡ, କଳାହାଣ୍ଡି ପାଇଁ ମୁକେଶ ମହାଲିଙ୍ଗ ଏବଂ ଗଜପତି ପାଇଁ ସୂର୍ଯ୍ୟବଂଶୀ ସୂରଜ । ଅପରପକ୍ଷରେ ବାତ୍ୟାର ପ୍ରଭାବ ସମ୍ପର୍କରେ ସୂଚନା ଦେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଓଡ଼ିଶା, ବିଶେଷ କରି ଦକ୍ଷିଣ ଓଡ଼ିଶାରେ ୨୭ ତାରିଖରୁ ବାତ୍ୟାର ପ୍ରଭାବ ଅନୁଭୂତ ହେବ । ୨୭ରୁ ଓଡ଼ିଶାରେ ୪୦-୫୦ କିଲୋମିଟର ବେଗରେ ପବନ ବହିବ । ୨୮ ରାତି ବେଳକୁ ଦକ୍ଷିଣ ଓଡ଼ିଶାରେ ପବନର ବେଗ ୬୦ରୁ ୭୦ କି.ମି. ରହିବ । ଏହି ସମୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ପାହାଡିଆ ଅଂଚଳରେ ଭୂସ୍ଖଳନ ହେବାର ଆଶଙ୍କା ରହିଛି ।
Sign in
Sign in
Recover your password.
A password will be e-mailed to you.