‘ଲାଞ୍ଚୁଆ ବାବୁଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଲୋଡ଼ା ନାହିଁ ଅନୁମତି’

0

ନୂଆଦିଲ୍ଲୀ : ଦୁର୍ନୀତି ନିବାରଣ ଆଇନ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଲାଞ୍ଚୁଆ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ଉପରିସ୍ଥ ଅଧିକାରୀଙ୍କ କୌଣସି ଅନୁମତି ଆବଶ୍ୟକ ନାହିଁ। କୌଣସି ସରକାରୀ କର୍ମଚାରୀ ଯଦି ଲାଞ୍ଚ ଦାବି କରିବା କିମ୍ବା ଲାଞ୍ଚ ନେବାବେଳେ ଧରାପଡନ୍ତି ତେବେ ସେମାନଙ୍କ କ୍ଷେତ୍ରରେ ମାମଲା ରୁଜୁ ପାଇଁ କୌଣସି ଅନୁମତି ଆବଶ୍ୟକ ନାହିଁ। ବିଚାରପତି ଏସ୍‌ଭିଏନ ଭଟ୍ଟି ଓ ବିଚାରପତି ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ କୌଣସି ସରକାରୀ ଅଧିକାରୀଙ୍କ ନିଷ୍ପତ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କ ଅନୁମତି ଆବଶ୍ୟକ ପଡିଥାଏ। ଦୁର୍ନୀତି ନିବାରଣ ଆଇନର ଧାରା ୧୭-ଏ ଅନୁଯାୟୀ ନିଜର କାର୍ଯ୍ୟକାଳ ସମୟରେ ଯଦି କୌଣସି ଅଧିକାରୀ ଅପରାଧ କିମ୍ବା ତ୍ରୁଟି କରିଥାନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଆବଶ୍ୟକ। ମାତ୍ର ଲାଞ୍ଚ ନେବା କ୍ଷେତ୍ରରେ ମାମଲା ରୁଜୁ ପାଇଁ କୌଣସି ଅନୁମତି ଆବଶ୍ୟକ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ରାଜସ୍ଥାନର ଜଣେ ପୁଲିସ କନେଷ୍ଟବଳ ଦାୟର କରିଥିବା ଆବେଦନକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ଏପରି ରାୟ ଦେଇଛନ୍ତି। ଆବେଦନକାରୀ କନଷ୍ଟେବଳ ଜଣଙ୍କ ବିରୋଧରେ ୧.୫ଲକ୍ଷ ଟଙ୍କା ଲାଞ୍ଚ ଦାବି କରିବା ଅଭିଯୋଗରେ ମାମଲା ରୁଜୁ ସହ ଚାର୍ଜସିଟ୍ ଦାଖଲ ହୋଇଥିଲା। କନଷ୍ଟେବଳଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପୂର୍ବରୁ ତଦନ୍ତକାରୀ ଏଜେନ୍ସି ତାଙ୍କର ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ନଥିଲେ। ଏଥିପାଇଁ କନଷ୍ଟେବଳ ଜଣଙ୍କ ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ।

Leave A Reply

Your email address will not be published.