ଭୁବନେଶ୍ୱର : କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ପୁଣି ଥରେ ସରଗରମ ହୋଇଛି। ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ କୋଟିଆରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପକ୍ଷରୁ ନିର୍ବାଚନ ଘୋଷଣା କରାଯିବା ଘଟଣାକୁ ନେଇ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି।
ଚିଠିର ପ୍ରମୁଖ ବିନ୍ଦୁ ଓ ବିଜେଡିର ଅଭିଯୋଗ:
- ଦିଲ୍ଲୀ କ୍ଷମତା ପାଇଁ ଅସ୍ମିତାକୁ ବଳି: ଦିଲ୍ଲୀ କ୍ଷମତା ପାଇଁ ଓଡ଼ିଆ ଅସ୍ମିତାକୁ ବଳି ନପକାଇ ଆମ ଆଞ୍ଚଳିକ ଅଖଣ୍ଡତା ଉପରେ ହୋଇଥିବା ପ୍ରହାର ବିରୋଧରେ ରାଜ୍ୟ ବିଜେପି ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।
- ଭୁଲିଗଲେ କି ପ୍ରତିଶ୍ରୁତି? ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ନିଜ ଇସ୍ତାହାରରେ ‘ଡବଲ୍ ଇଞ୍ଜିନ୍ ସରକାର’ ଆସିଲେ କୋଟିଆ ବିବାଦର ସ୍ଥାୟୀ ସମାଧାନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ସେତେବେଳେ ‘ଗୋ ବ୍ୟାକ୍ ଆନ୍ଧ୍ର’ ସ୍ଲୋଗାନ ଦେଉଥିବା ଦଳ ଆଜି କ୍ଷମତାରେ ଥାଇ କିପରି ନୀରବଦ୍ରଷ୍ଟା ସାଜିଛି ବୋଲି ଚିଠିରେ ପ୍ରଶ୍ନ କରାଯାଇଛି। ସେହି ପ୍ରତିଶ୍ରୁତି କେବଳ ଭୋଟ୍ ହାତେଇବାର ଏକ ‘ରାଜନୈତିକ ନାଟକ’ ଥିଲା ବୋଲି ପ୍ରମାଣିତ ହୋଇଛି ବୋଲି ଦଳ ଅଭିଯୋଗ କରିଛି।
- ଟିଡିପି (TDP) ଚାପରେ ବିଜେପି? କେନ୍ଦ୍ରର ଏନ୍ଡିଏ (NDA) ସରକାରରେ ଆନ୍ଧ୍ରପ୍ରଦେଶର ଶାସକ ଦଳ ତେଲୁଗୁ ଦେଶମ୍ ପାର୍ଟି (TDP) ଏକ ପ୍ରମୁଖ ସହଯୋଗୀ। କେବଳ ସେହି ରାଜନୈତିକ ବାଧ୍ୟବାଧକତା ଓ ନିର୍ଭରଶୀଳତା ପାଇଁ ଓଡ଼ିଶା ସରକାର ନିଜ ସ୍ଵାର୍ଥ ଓ ଆଞ୍ଚଳିକ ଅଖଣ୍ଡତା ସହିତ ବୁଝାମଣା କରିଦେଇଛନ୍ତି କି ବୋଲି ନବୀନ ପ୍ରଶ୍ନ କରିଛନ୍ତି।
- କେନ୍ଦ୍ର ଚାପରେ ମୁଣ୍ଡ ନୁଆଁଇବା ବନ୍ଦ କରନ୍ତୁ: ଡବଲ୍ ଇଞ୍ଜିନ୍ ସରକାର କେନ୍ଦ୍ରର ଚାପ ଆଗରେ ମୁଣ୍ଡ ନୁଆଁଇବା ବନ୍ଦ କରି ଓଡ଼ିଶାର ସାମ୍ବିଧାନିକ ଅଧିକାର ଓ ଅଖଣ୍ଡତା ପାଇଁ ଠିଆ ହେବାକୁ ପରାମର୍ଶ ଦିଆଯାଇଛି।
କମିଟି ରିପୋର୍ଟ କେବେ ସାର୍ବଜନୀନ ହେବ? ଏହା ସହିତ ନବୀନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ଯେ, ୨୦୨୫ ମସିହାରେ ଗଠିତ ଉଚ୍ଚସ୍ତରୀୟ ୧୬ ଜଣିଆ କୋଟିଆ କମିଟି କ’ଣ ସୁପାରିଶ ଦେଇଥିଲା? ଏବଂ ସେହି ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି, ତାହା ସ୍ପଷ୍ଟ କରାଯାଉନାହିଁ କାହିଁକି?
କୋଟିଆ ଉପରେ ଓଡ଼ିଶାର ଅଧିକାର ଓ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ସଭାପତି ଚିଠିରେ ଉଲ୍ଲେଖ କରିବା ସହ ଚେତାବନୀ ଦେଇଛନ୍ତି ଯେ, କୋଟିଆ ପ୍ରସଙ୍ଗରେ କୌଣସି ପ୍ରକାର ରାଜନୈତିକ ସାଲିସ୍କୁ ଓଡ଼ିଶାବାସୀ କଦାପି ବରଦାସ୍ତ କରିବେ ନାହିଁ। ଓଡ଼ିଶାବାସୀ ଏହି ପ୍ରତାରଣାର ସ୍ପଷ୍ଟ ଜବାବ ଏବଂ ଉତ୍ତରଦାୟିତ୍ୱ ଚାହୁଁଛନ୍ତି।