ନୂଆଦିଲ୍ଲୀ : ଭାରତରେ ଛାତ୍ର ଆନ୍ଦୋଳନ ବେଳେ ପୋଲିସ ବଳ ପ୍ରୟୋଗ ଓ ମାନବାଧିକାର ଉଲ୍ଲଂଘନ ଅଭିଯୋଗକୁ ନେଇ ଆମେରିକାରେ ରାଜନୈତିକ ହଲଚଲ ଦେଖାଦେଇଛି। ଆମେରିକାର ୬ ଜଣ ଡେମୋକ୍ରାଟିକ୍ ସାଂସଦ ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ଚିଠି ଲେଖି ଭାରତ ଗସ୍ତ ବେଳେ ଏହି ପ୍ରସଙ୍ଗ ଉଠାଇବାକୁ ଦାବି କରିଛନ୍ତି। ଚିଠିରେ ହସ୍ତାକ୍ଷର କରିଛନ୍ତି ପ୍ରମିଳା ଜୟପାଳ, ଇଲହାନ୍ ଓମର, ଜିମ୍ ମ୍ୟାକ୍ଗଭର୍ଣ୍ଣ, ରଶିଦା ତଲିବ୍, ଏଲେନର ହୋମସ୍ ନର୍ଟନ୍ ଓ ଜିସସ୍ ଗାର୍ସିଆ।
ଦିଲ୍ଲୀ ଓ ଦେଶର ବିଭିନ୍ନ ସ୍ଥାନରେ ଛାତ୍ର ବିକ୍ଷୋଭ ବେଳେ ସୁରକ୍ଷା ବାହିନୀଙ୍କ ଦମନ, ଭୁଲ୍ ଭାବେ ଅଟକ ଓ ଅତ୍ୟଧିକ ବଳ ପ୍ରୟୋଗ ନେଇ ସେମାନେ ଚିନ୍ତା ପ୍ରକାଶ କରିଛନ୍ତି। ତତ୍କାଳୀନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ସିଜେପିର ପ୍ରଦର୍ଶନ ଓ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହୋଇଥିବା ବିକ୍ଷୋଭକୁ ସାଂସଦମାନେ ଉଦାହରଣ ଭାବେ ଦେଇଛନ୍ତି।
ସେପଟେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ପୁନଃ ଯାଞ୍ଚ ବା SIR ପ୍ରସଙ୍ଗ ମଧ୍ୟ ଚିଠିରେ ଉଠାଯାଇଛି। ପ୍ରମିଳା ଜୟପାଳ ଚିଠିରେ ଦାବି କରିଛନ୍ତି ଯେ, ଡ୍ରାଫ୍ଟ ଭୋଟର ତାଲିକାରୁ ୧୩ କୋଟି ଭୋଟରଙ୍କ ନାଁ ହଟାଇ ଦିଆଯାଇଛି। ସେ ଏହାକୁ ଭୋଟରଙ୍କୁ ବାଦ୍ ଦେବା ପ୍ରକ୍ରିୟା ବୋଲି କହିବା ସହ ସିଜେପିକୁ ସମର୍ଥନ ଜଣାଇଛନ୍ତି।
ଆମେରିକାରେ ଥିବା ଭାରତୀୟ ଦୂତାବାସ ଉପରେ ମଧ୍ୟ ସାଂସଦମାନେ ଗୁରୁତର ଅଭିଯୋଗ ଆଣିଛନ୍ତି। ସିଜେପି ସମର୍ଥକ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିବା ପାଇଁ ଭାରତୀୟ ମିଶନ ଫଟୋଗ୍ରାଫର ନିଯୁକ୍ତ କରିଛି ବୋଲି ଅଭିଯୋଗ ହୋଇଛି।
ସାଂସଦମାନଙ୍କ ୩ ଟି ପ୍ରମୁଖ ଦାବି:
୧. ପୋଲିସ କାର୍ଯ୍ୟାନୁଷ୍ଠାନର ସ୍ୱାଧୀନ, ସ୍ୱଚ୍ଛ ତଦନ୍ତ
୨. ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ମୁକ୍ତି ପ୍ରସଙ୍ଗ ଉଠାଇବା
୩. ଆମେରିକାରେ ଭାରତୀୟ ମିଶନଙ୍କ ନିରୀକ୍ଷଣ ଅଭିଯୋଗର ତଦନ୍ତ
ଏପରିକି ଯଦି ଏଭଳି ପ୍ୟାଟର୍ନ ମିଳେ, ତେବେ ଭାରତକୁ ଆମେରିକାର ଆର୍ମସ୍ ଏକ୍ସପୋର୍ଟ କଣ୍ଟ୍ରୋଲ୍ ଆକ୍ଟ ଅନୁସାରେ ଅସ୍ତ୍ର ବିକ୍ରି ପାଇଁ ଅଯୋଗ୍ୟ ଘୋଷଣା କରିବାକୁ ମଧ୍ୟ ଚିଠିରେ ଦାବି କରାଯାଇଛି।
ଭାରତର ପ୍ରତିକ୍ରିୟା:
ଏହା ପୂର୍ବରୁ ଆମେରିକାରେ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା ପ୍ରମିଳା ଜୟପାଳଙ୍କ ମନ୍ତବ୍ୟକୁ ଭାରତର ଆଭ୍ୟନ୍ତରୀଣ ମାମଲାରେ ଅଗ୍ରହଣୀୟ ହସ୍ତକ୍ଷେପ ବୋଲି କହି ନିନ୍ଦା କରିଥିଲେ।
ଅନ୍ୟପଟେ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରାମର୍ଶଦାତା ଅଜୟ ଜୈନ ଭୁଟୋରିଆ ଏହି ଚିଠିକୁ କଡ଼ା ସମାଲୋଚନା କରିଛନ୍ତି। ଭାରତ ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର, ଏଠାରେ ସ୍ୱାଧୀନ ନ୍ୟାୟପାଳିକା, ସ୍ୱାଧୀନ ଗଣମାଧ୍ୟମ ଓ ୯୦ କୋଟିରୁ ଅଧିକ ଭୋଟର ଅଛନ୍ତି ବୋଲି ସେ କହିଛନ୍ତି।
ଆଗାମୀ ସପ୍ତାହରେ ମାର୍କୋ ରୁବିଓ ମୁମ୍ବାଇରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଏହି ଚିଠି ଦୁଇ ଦେଶର କୂଟନୈତିକ ସମ୍ପର୍କରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।