ବିଳାସପୁର (୧୫/୧୦) : ଶାରଦୀୟ ପାବନ ସନ୍ଧ୍ୟାରେ ବିଳାସପୁର ଛତିଶଗଡ଼ରୁ ଲୋକାର୍ପିତ ହେଲା ଇ-ପତ୍ରିକା “ସୂର୍ଯ୍ୟପ୍ରଭା” ଏବଂ ଆହ୍ଲାଦିତ ହେଲା ହୃଦ ବହୁ କବି କବୟିତ୍ରୀ ଏବଂ ସାହିତ୍ୟପ୍ରେମୀଙ୍କର । ଦେଖି କମନୀୟ କାନ୍ତି କାୟା କଳେବର ସିକ୍ତ ହେଲା ପ୍ରତୀକ୍ଷିତ ମୁହୂର୍ତ୍ତ ସମସ୍ତ । ଦୁର୍ଗତି ନାଶିନୀ ମା’ଙ୍କ ସ୍ତୁତିରେ ଆବାହନୀ ସ୍ୱର ଯେବେ ତୋଳିଲା ମୂର୍ଚ୍ଛନା ସମ୍ପାଦକ ଡଃ ବାମନ ଚନ୍ଦ୍ର ଦିକ୍ଷିତଙ୍କ ମନ୍ତ୍ରୋଚ୍ଚାରଣ ପରେ ପରେ ଲକ୍ଷ୍ମୀ ଆମ୍ମା ନନ୍ଦଡ଼ାଙ୍କ ଶ୍ଳୋକ ଆବୃତ୍ତି ବି କଲା ମନ୍ତ୍ରମୁଗ୍ଧ । ତଦୁପରାନ୍ତେ ବିଭୁ ବନ୍ଦନାରେ ଗୁଞ୍ଜରିତ ହୋଇଲା ଗୋଧୂଳି । ବାମନ ଚନ୍ଦ୍ରଙ୍କ ଜଣାଣେ “ଛାତିରେ ଛାତିଏ କୋହ ଭରି ହରି ତଥାପି ଡାକୁଛି ତୋତେ…” ଭକ୍ତିପୂତ ହେଲା ସାୟନ୍ତନୀ ଏବଂ ଲୋକାର୍ପିତ ହେଲା “ସୂର୍ଯ୍ୟପ୍ରଭା” । କରତାଳି ଧ୍ୱନି ତୁହାକୁତୁହା , ପ୍ରଶସ୍ତିରେ ଲେପେ ଲିପା ମନ୍ତବ୍ୟମାନଙ୍କର ସାକ୍ଷ୍ୟ ସ୍ବାକ୍ଷରିତ ହେଲା ।


ଧନ୍ୟ ହେଲା ସୂର୍ଯ୍ୟପ୍ରଭା ପରିବାର ଆଉ ନିଳାଦ୍ରୀ ମହାନ୍ତିଙ୍କ କଳ୍ପିତ ପ୍ରଚ୍ଛଦ । ସଭାପତି ପ୍ରଭାତ ଆଚାର୍ଯ୍ୟଙ୍କ ଅନୁମତି କ୍ରମେ କାବ୍ୟଧାରା ପ୍ରବାହ-ଉତ୍ସବ “କବିତା ଆସର” ଆରମ୍ଭିଲେ ଆରତୀ ଦାସ । ସଂକ୍ଷିପ୍ତ ସାର୍ଥକ ଏବଂ ଭବ୍ୟ ସମୀକ୍ଷାରେ ସମ୍ମୋହିତ କଲେ ସର୍ବେ ମୈତ୍ରେୟୀ କମିଳା । ସୁବ୍ରତ ରଥ ଆଉ କଳ୍ପନାଙ୍କ ଉତ୍ସାହିତ କଣ୍ଠୁ ବାରି ହେଉଥିଲା ଆକଣ୍ଠ ଉତ୍କଣ୍ଠା । କାବ୍ୟପାଠ ପର୍ଯ୍ୟାୟରେ କବି ବିଶିଷ୍ଟ ପ୍ରଭାତ ଆଚାର୍ଯ୍ୟ , ସୁବ୍ରତ ରଥ , ହେମନ୍ତ ବରାଇ , ପଣ୍ଡା କାଶୀନାଥ , ସୁଧାଂଶୁ ମିଶ୍ର , ଡଃ ଚିତ୍ତରଞ୍ଜନ କୁଣ୍ଡୁ , ମହାନ୍ତି ଅନଙ୍ଗ ଭୂଷଣ , ସ୍ମୃତିରଞ୍ଜନ , ସେଠୀ ସୁଦର୍ଶନ , ପ୍ରଦୀପ ଦାସ , ଅରୁଣ ମହାପାତ୍ର ଏବଂ ବାମନ ଚନ୍ଦ୍ର ଦକ୍ଷିତ ତଥା ବିଶିଷ୍ଟ କବୟିତ୍ରୀ କଳ୍ପନା ମିଶ୍ର , ମୈତ୍ରୟୀ କମିଳା , ମଧୁସ୍ମିତା ମହାପାତ୍ର , ଆରତୀ ଦାସ , ଗାୟତ୍ରୀ ଦାଶ ,ପୁଷ୍ପାଞ୍ଜଳୀ ପତ୍ରୀ , ଲକ୍ଷ୍ମୀ ଆମ୍ମା , ସୁକାନ୍ତ ପଣ୍ଡା , ସୁମିତ୍ରା ଭୋଇ , ଜୟନ୍ତୀ ନାୟକ , ମନୋରମା ମିଶ୍ର , ସୁଭାଗିନୀ ଦାଶ , ଜ୍ୟୋତିପ୍ରଭା ପଟ୍ଟନାୟକ ଏବଂ ପଥୁରିଆ ସାହିର ଝିଅ ଚନ୍ଦ୍ରା ମିଶ୍ର ଆଦି ସମସ୍ତଙ୍କ ସର୍ଜିତ ସ୍ତବକ ମୁଖରିତ କରୁଥିଲା ସାହିତ୍ୟ ସନ୍ଧ୍ୟାକୁ । ଶବ୍ଦାୟିତ ହେଉଥିଲେ ଭାବ , ଛନ୍ଦ , ତାଳ , ଲୟ , ଅଳଙ୍କାର , ଉପମା ଆଦି ଏବଂ ସମ୍ମୋହିତ ହେଉଥିଲେ ତନୁ ମନ ପ୍ରାଣ ଏକାବେଳେ । ପରିସମାପ୍ତି ଗୀତିକା ବାମନ ଚନ୍ଦ୍ରଙ୍କ ଲାଖି ରହିଗଲା କି’ବା ସଭିଙ୍କ ବୁକୁରେ । ମନ୍ତ୍ରମୁଗ୍ଧ ପରିବେଶ କହୁଥିଲା ସାଫଲ୍ୟ ବାରତା । ନୀରବତା କଥା କହୁଥିଲା ଯେବେ , କଳ୍ପନା ସମର୍ପିଲେ ଧନ୍ୟବାଦ ଅର୍ଘ୍ୟ ସମସ୍ତଙ୍କୁ । ରିପୋର୍ଟ-ସନାତନ ମହାକୁଡ଼।