ମଦ ବିକ୍ରି ଓ ରନ୍ଧା ବନ୍ଦ ନେଇ ଶତାଧିକ ମହିଳାଙ୍କ ଉଦ୍ୟମ

0

ଝରିଗାଁ, ୮/୧୦ (ନକୁଳ ଭତରା.): ଦେଶୀ ଓ ବିଦେଶୀ ମଦ ବିକ୍ରି ସହ ମଦ ରନ୍ଧା ବନ୍ଦ କରିବା ନେଇ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡ଼ାବେଡ଼ା ଗ୍ରାମ ପଞ୍ଚାୟତର ୬ଟି ଗ୍ରାମର ଶତାଧିକ ମହିଳା ଏକଜୁଟ ହୋଇଛନ୍ତି। ପଞ୍ଚାୟତ ଅଧୀନ ବକଡ଼ାବେଡ଼ା, ଆଦିବାସୀ, ବଣୁଆପାରା, କଳାହାଣ୍ଡିଆ ସାହି, ଟେଣ୍ଡକାଗୁଡ଼ା ଓ ଲୋହରା ସାହିର ମହିଳାମାନେ ସାହି ସାହି ବୁଲି ଘରେ ଘରେ ପହଞ୍ଚି ମଦ ରନ୍ଧା ଓ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଏହା ବନ୍ଦ କରିବାକୁ ଅନୁରୋଧ କରିଥିଲେ।

ମହିଳାମାନେ କହିଛନ୍ତି, ମଦ୍ୟପାନ ଯୋଗୁଁ ଅନେକ ପରିବାରରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ପୁରୁଷ ଓ ଯୁବକମାନେ ମଦ୍ୟପାନର ଶିକାର ହୋଇ ଅଳ୍ପ ବୟସରେ ମୃତ୍ୟୁବରଣ କରୁଥିବା ନେଇ ସେମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିଯୋଗୁଁ ଅନେକ ପରିବାରରେ ମା’, ବାପା, ସ୍ତ୍ରୀ ଓ ଛୋଟ ଛୋଟ ପୁଅଝିଅ ବେସାହାରା ହୋଇପଡ଼ୁଥିବା ବେଳେ ସ୍ତ୍ରୀ ପିଲାଛୁଆ ଓ ବୃଦ୍ଧ ମା ବାପାଙ୍କୁ ମଦ ପିଇ ଗଣ୍ଡଗୋଳ କରୁଥିବା ମଧ୍ୟ ମହିଳାମାନେ କହିଛନ୍ତି।

ମଦ ବିକ୍ରି ଓ ରନ୍ଧା ସମ୍ପୂର୍ଣ୍ଣ ବନ୍ଦ କରିବା ନେଇ ମହିଳାମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭ ଦିନ ସମୟ ଦେଇଛନ୍ତି। ଏହି ସମୟ ମଧ୍ୟରେ ମଦ ରନ୍ଧା ଓ ବିକ୍ରି ବନ୍ଦ ନକଲେ ପରବର୍ତ୍ତୀ ସମୟରେ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଗ୍ରାମବାସୀମାନେ କହିଛନ୍ତି।

ଏହି ଘଟଣାକୁ ନେଇ ସରପଞ୍ଚ ମଧ୍ୟ ମଦ ବିକ୍ରି ବନ୍ଦ କରିବା ପାଇଁ ୭ ଦିନ ସମୟ ଦେଇଥିବା ଜଣାପଡ଼ିଛି। ଗ୍ରାମରେ ମଦ ରନ୍ଧା ଓ ବିକ୍ରି ବନ୍ଦ କରି ଏକ ସୁସ୍ଥ ଓ ମଦମୁକ୍ତ ପରିବେଶ ଗଠନ କରିବା ଦିଗରେ ମହିଳାମାନଙ୍କ ଏହି ଉଦ୍ୟମକୁ ନେଇ ଅଞ୍ଚଳରେ ଆଲୋଚନା ହେଉଛି

Leave A Reply

Your email address will not be published.