କଟକ: କଟକ ମଙ୍ଗଳାବାଗ ଅଞ୍ଚଳର ଏକ ଲଜ୍ରୁ ବାଲେଶ୍ୱରର ଜଣେ ମହିଳାଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର କରାଯାଇଛି। ଶୁକ୍ରବାର ଦିନ ମହିଳା ଜଣକ ଜଣେ ଯୁବକଙ୍କ ସହ ଆସି ଲଜ୍ରେ ରହିଥିଲେ। ରୁମ୍ ବାହାରପଟୁ ବନ୍ଦ ଥିବା ଦେଖି ଲଜ୍ କର୍ମଚାରୀମାନେ ସନ୍ଦେହରେ କବାଟ ଖୋଲିବାରୁ, ବାଥରୁମ୍ ଭିତରେ ମହିଳା ଜଣକ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ।
ଖବର ପାଇ ମଙ୍ଗଳାବାଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ନାକରେ ତୁଳା ଥିବା ଲକ୍ଷ୍ୟ କରିଥିଲା। ତେବେ ଶରୀରରେ କୌଣସି ବାହ୍ୟ ଆଘାତର ଚିହ୍ନ ନଥିବା ବେଳେ ମହିଳାଙ୍କ ବ୍ୟାଗ୍ରୁ ଏସ୍ସିବି ମେଡିକାଲ୍ର ପ୍ରେସକ୍ରିପସନ୍ ମିଳିଛି। ଏହି ଘଟଣା ପରଠାରୁ ସାଥିରେ ଆସିଥିବା ଯୁବକ ଜଣକ ଫେରାର୍ ଅଛନ୍ତି, ଯାହାଙ୍କୁ ମହିଳାଙ୍କ ସ୍ୱାମୀ ବୋଲି ପୋଲିସ ସନ୍ଦେହ କରୁଛି।
ମଙ୍ଗଳାବାଗ ଥାନା ଅଧିକାରୀ ଉମାକାନ୍ତ ସାହୁଙ୍କ ସୂଚନା ଅନୁଯାୟୀ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ସ୍ପଷ୍ଟ ହେବ। ବର୍ତ୍ତମାନ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ଅଧିକ ତଦନ୍ତ ପାଇଁ ପୋଲିସର ଏକ ବିଶେଷ ଟିମ୍ ବାଲେଶ୍ୱର ଗସ୍ତ କରିଛି।