ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କୁ ସୁପ୍ରିମ୍ କୋର୍ଟଙ୍କ ଝଟ୍‌କା, ହଟିଲା ଅନ୍ତରୀଣ ସୁରକ୍ଷା

0

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆଇନଗତ ଅଡ଼ୁଆ ଆହୁରି ଜଟିଳ ହୋଇଛି। ହାଇକୋର୍ଟଙ୍କ ପରେ ଏବେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିରାଶ ହୋଇଛନ୍ତି ବିଦ୍ୟାଭାରତୀ। ସୁପ୍ରିମ୍ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିବାରୁ ପୂର୍ବରୁ ମିଳିଥିବା ଅନ୍ତରୀଣ ଆଇନଗତ ସୁରକ୍ଷା ହଟିଯାଇଛି, ଯାହାଫଳରେ ତାଙ୍କର ଗିରଫ ହେବାର ଆଶଙ୍କା ବୃଦ୍ଧି ପାଇଛି। ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ ବିଦ୍ୟାଭାରତୀ ସିଆରପିସିର ଧାରା ୨୦୫ ଅଧୀନରେ ଆବେଦନ କରିଥିଲେ। ଏହାକୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଏସଡିଜେଏମ୍‌ ଅଦାଲତ (୨୩ ଜୁନ୍ ୨୦୨୩ ଓ ୧୧ ମାର୍ଚ୍ଚ ୨୦୨୪ରେ) ଖାରଜ କରିଥିଲେ। ହାଇକୋର୍ଟର ଜଷ୍ଟିସ୍ ଶିବଶଙ୍କର ମିଶ୍ରଙ୍କ ଖଣ୍ଡପୀଠ ଏସଡିଜେଏମ୍‌ ଅଦାଲତଙ୍କ ଏହି ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ବିଦ୍ୟାଭାରତୀଙ୍କ ଆବେଦନକୁ ରଦ୍ଦ କରିଥିଲେ।

ଓଡ଼ିଶା ହାଇକୋର୍ଟ ବିଦ୍ୟାଭାରତୀଙ୍କୁ ଅକ୍ଟୋବର ୧ ତାରିଖ କିମ୍ବା ତା’ ପୂର୍ବରୁ ପାରଳାଖେମୁଣ୍ଡି ଏସଡିଜେଏମ୍‌ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିୟମିତ ହାଜିରାରୁ ମୁକ୍ତି ପାଇଁ ସେ ପରବର୍ତ୍ତୀ ସମୟରେ ସିଆରପିସିର ଧାରା ୨୦୫ କିମ୍ବା ୩୧୭ ଅନୁଯାୟୀ ଆବେଦନ କରିପାରିବେ। ଅଦାଲତରେ ଆତ୍ମସମର୍ପଣ କଲେ ଗିରଫଦାରୀ ବା ହେପାଜତକୁ ଯିବାର ଭୟ ଥିବା ଦର୍ଶାଯିବାରୁ, ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସେ ପ୍ରଥମେ ଏସଡିଜେଏମ୍‌ ଅଦାଲତରେ ଜାମିନ ଆବେଦନ କରିବେ। ଯଦି ସେଠାରେ ଜାମିନ ନାମଞ୍ଜୁର ହୁଏ, ତେବେ ସେହିଦିନ ହିଁ ସେ ଦୌରା ଅଦାଲତର ଦ୍ୱାରସ୍ଥ ହୋଇପାରିବେ ଏବଂ ଦୌରା ଅଦାଲତ ବିନା ବିଳମ୍ବରେ ସେହିଦିନ ହିଁ ଏହାର ବିଚାର କରିବେ। ଏହି ମାମଲାରେ ସମ୍ପୃକ୍ତ ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା ୨୭ ଜୁଲାଇ ୨୦୨୬ରେ ଏସଡିଜେଏମ୍‌ ଅଦାଲତରେ ଆତ୍ମସମର୍ପଣ କରିଥିଲେ। ଏସଡିଜେଏମ୍‌ ଓ ପରବର୍ତ୍ତୀ ସମୟରେ ଦୌରା ଅଦାଲତରେ ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍‌କୁ ଯିବାକୁ ପଡ଼ିଥିଲା। ବର୍ତ୍ତମାନ ଡିଏଫଓଙ୍କ ଜାମିନ ନିବେଦନ ହାଇକୋର୍ଟରେ ବିଚାରାଧୀନ ରହିଛି। ସେହିପରି ବିଦ୍ୟାଭାରତୀଙ୍କ ଜାମିନ ଯଦି ପାରଳାଖେମୁଣ୍ଡି ଅଦାଲତରେ ଖାରଜ ହୁଏ, ତେବେ ତାଙ୍କୁ ମଧ୍ୟ ଜେଲ୍ ଯିବାକୁ ପଡ଼ିପାରେ।

Leave A Reply

Your email address will not be published.