ଗଜପତି ,୨୮.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ଏବଂ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (CFI)ର ମିଳିତ ଆୟୋଜନରେ ୨୩ତମ ଜାତୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍ ଗଜପତି ଜିଲ୍ଲାର ମହେନ୍ଦ୍ରଗିରିଠାରେ ଆସନ୍ତା ଅକ୍ଟୋବର ୧ରୁ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଏହା ବାବଦରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଦେଶର ପ୍ରାୟ ୩୦ଟି ରାଜ୍ୟରୁ ୮୦୦ରୁ ଅଧିକ ଖେଳାଳି, କୋଚ୍, ମ୍ୟାନେଜର, ଟିମ୍ ଅଫିସିଆଲ୍ ଓ ଟେକ୍ନିକାଲ୍ ଅଫିସିଆଲ୍ ଯୋଗଦେବେ। ପ୍ରତିଯୋଗିତାରେ ଯୋଗ ଦେଉଥିବା ଖେଳାଳି ଓ ଅଫିସିଆଲ୍ମାନଙ୍କ ରହଣି, ଖାଦ୍ୟ ଏବଂ ଆବଶ୍ୟକୀୟ ଅନ୍ୟାନ୍ୟ ସୁବିଧା ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ ସୁବ୍ୟବସ୍ଥିତ କରାଯାଇଛି।ଚାମ୍ପିଅନ୍ସିପ୍କୁ ସୁଚାରୁ ଓ ସଫଳ ଭାବେ ଆୟୋଜନ ପାଇଁ ଗଜପତି ଜିଲ୍ଲା ପ୍ରଶାସନ, କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ସରକାର ଏବଂ ସମ୍ପୃକ୍ତ ବିଭାଗଗୁଡ଼ିକ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଉଛି।ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଏକ ଟେକ୍ନିକାଲ୍ ଓ ଚ୍ୟାଲେଞ୍ଜିଂ କ୍ରୀଡ଼ା। ମହେନ୍ଦ୍ରଗିରିର ପାହାଡ଼ିଆ ଭୂପୃଷ୍ଠ ଓ ପ୍ରାକୃତିକ ପରିବେଶ ଏହି ପ୍ରତିଯୋଗିତାକୁ ଆକର୍ଷଣୀୟ କରିବ। ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବା ଯୋଗ୍ୟ ଖେଳାଳିମାନେ ଭାରତୀୟ ଦଳରେ ସ୍ଥାନ ପାଇ ଆନ୍ତର୍ଜାତୀୟ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇପାରିବେ।ଏହି ଜାତୀୟସ୍ତରୀୟ ପ୍ରତିଯୋଗିତା ମାଧ୍ୟମରେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟ, ପର୍ଯ୍ୟଟନ ଓ କ୍ରୀଡ଼ା ସମ୍ଭାବନା ଦେଶବ୍ୟାପୀ ଭାବେ ପ୍ରଚାରିତ ହେବା ସହ ଓଡ଼ିଶାର କ୍ରୀଡ଼ା ପରିବେଶକୁ ଆହୁରି ସମୃଦ୍ଧ କରିବ।ଏହି ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ର ସାଧାରଣ ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ରାଉତ, ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ଯୁଗ୍ମ ସମ୍ପାଦକ ଶ୍ରୀ ଶୈଳେନ୍ଦ୍ର ପାଠକ ଏବଂ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ବୈଷୟିକ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ କୁମାର ବିଷୋୟୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରିନାଥ କୁମାର ସାହୁ ଉପସ୍ଥିତ ରହି ସାମ୍ବାଦିକମାନଙ୍କୁ ପ୍ରସ୍ତାବିତ ଜାତୀୟ ଏମ୍ଟିବି ସାଇକ୍ଲିଂ ଚାମ୍ପିୟନଶିପ୍ ସମ୍ପର୍କରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.