ଗଜପତି, ୨୫.(ମନୋଜ ପାଢୀଙ୍କ ରିପୋର୍ଟ):– ଗଜପତି ଜିଲ୍ଲାରେ ପ୍ରବଳ ବର୍ଷାଜନିତ ସ୍ଥିତିକୁ ନେଇ ଏସ୍ଆର୍ସିଙ୍କ ଅତିରିକ୍ତ ସଚିବ ଶ୍ରୀ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ସ୍ଥାନୀୟ ଅଧିକାରୀମାନଙ୍କ ସହିତ ଲଘୁଚାପ ଜନିତ ବର୍ଷାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିଛନ୍ତି। ପ୍ରଥମେ ସେ ମୋହନା ବ୍ଲକ ଗସ୍ତ କରି ବ୍ଲକ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ମୁନୀନ୍ଦ୍ର ହନାଗାଙ୍କ ସମେତ ତହସିଲଦାର,ଭାରପ୍ରାପ୍ତ ମେଡିକାଲ ଅଫିସର୍, ଟାଟା ପାୱାର ଏସ୍ଡିଓ, ଫରେଷ୍ଟ ରେଞ୍ଜ ଅଫିସର, ଅଗ୍ନିଶମ ଅଧିକାରୀ, ଡବ୍ଲ୍ୟୁଆର୍ ବିଭାଗ ଏସ୍ଡିଓ, ବିଭିଓ, ବିଏଓ ଓ ସିଡିପିଓଙ୍କ ସହ ଆଲୋଚନା କରି ବର୍ଷା ପରିସ୍ଥିତି ଓ ପ୍ରସ୍ତୁତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ।ଏହା ପରେ ସେ ଚାନ୍ଦିପୁଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାପୁରିପାଟା ଅଙ୍ଗନବାଡି କେନ୍ଦ୍ରରେ ଖୋଲାଯାଇଥିବା ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ଆଶ୍ରୟ ନେଇଥିବା ସ୍ଥାନାନ୍ତରିତ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସୁବିଧା ଓ ସୁସ୍ଥତା ବିଷୟରେ ପଚାରି ବୁଝିଥିଲେ।ପରେ ଲବାରସିଂହ ଗ୍ରାମପଞ୍ଚାୟତର ଘାଇସାହି ଅଞ୍ଚଳକୁ ଯାଇ ପ୍ରବଳ ବର୍ଷା ଯୋଗୁଁ ଘର ଭାଙ୍ଗିଯାଇ କ୍ଷତିଗ୍ରସ୍ତ ହୋଇଥିବା ପରିବାରଗୁଡ଼ିକୁ ଭେଟିଥିଲେ। କ୍ଷୟକ୍ଷତି ସମ୍ପର୍କରେ ସେମାନଙ୍କଠାରୁ ଜାଣିବା ସହ ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।ସେହିପରି ରା.ଉଦୟଗିରି ବ୍ଲକରେ ମଧ୍ୟ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀଙ୍କ ସହ ପ୍ରବଳ ବର୍ଷା ପରିସ୍ଥିତି ନେଇ ଆଲୋଚନା କରିଥିଲେ। ଏହାସହ ଏକ ଭୂସ୍ଖଳନ ସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।ପରେ ରାୟଗଡ଼ ବ୍ଲକରେ ମଧ୍ୟ ଏଡିଏମ୍ (ରାଜସ୍ୱ), ବିଡିଓ, ତହସିଲଦାର ଓ ବ୍ଲକସ୍ତରୀୟ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀଙ୍କ ସହ ପ୍ରବଳ ବର୍ଷା ସ୍ଥିତି ନେଇ ସମୀକ୍ଷା ଓ ଆଲୋଚନା କରିଥିଲେ। ସମ୍ଭାବ୍ୟ ବିପଦ ଓ କ୍ଷୟକ୍ଷତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ।