ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା: ବାଚସ୍ପତି ଓ ବିଧାନସଭା ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ୍, ୨୯ରେ ପରବର୍ତ୍ତୀ ଶୁଣାଣି

0

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ ଦଳୀୟ ହୁଇପ୍ ଅମାନ୍ୟ କରି କ୍ରସ୍‌ଭୋଟିଂ କରିଥିବା ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ସମ୍ପର୍କିତ ପିଟିସନ୍‌କୁ ବାଚସ୍ପତି ଖାରଜ କରିଦେବା ପରେ, ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ବିଜୁ ଜନତା ଦଳ। ବିଜେଡି ଦାୟର କରିଥିବା ଆଉ ତିନୋଟି ପୃଥକ ଆବେଦନର ଶୁଣାଣି କରି ହାଇକୋର୍ଟ ବିଧାନସଭା ବାଚସ୍ପତିଙ୍କ ଜବାବ ଲୋଡ଼ିଛନ୍ତି। ଏହାସହ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ମାଧ୍ୟମରେ ନିଜ ନିଜର ଜବାବ ରଖିବାକୁ ବିଧାନସଭା ସଚିବ, ବିଧାୟକ ଅରବିନ୍ଦ ମହାପାତ୍ର, ସୌଭିକ ବିଶ୍ୱାଳ ଓ ସନାତନ ମହାକୁଡ଼ଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆର.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ପକ୍ଷରୁ ଦାଖଲ ହୋଇଥିବା ତିନୋଟି ଆବେଦନର ଏକତ୍ର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ମାମଲାର ଗ୍ରହଣୀୟତାକୁ ନେଇ ଆସନ୍ତା ସେପ୍ଟେମ୍ବର ୨୯ ତାରିଖରେ ସମସ୍ତ ପିଟିସନର ଏକତ୍ର ଶୁଣାଣି ହେବ।

ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବିତ ୮ ଜଣ ବିଧାୟକ (ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼, ନବକିଶୋର ମଲ୍ଲିକ, ଦେବୀରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ରମାକାନ୍ତ ଭୋଇ, ସୁବାସିନୀ ଜେନା, ଚକ୍ରମଣି କହଁର)ଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲେ। ମାତ୍ର ଗତ ଜୁନ୍ ୧୯, ୨୦୨୬ରେ ଓଡ଼ିଶା ବିଧାନସଭା ସଚିବାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ନିୟମ ୬(୬) ଓ ୬(୭) ଅନୁସାରେ ଆବଶ୍ୟକୀୟ ସତ୍ୟପାଠ ଏବଂ କାଗଜପତ୍ର ଯାଞ୍ଚ ହୋଇ ନଥିବା ଭଳି ପ୍ରକ୍ରିୟାଗତ/ବୈଷୟିକ ତ୍ରୁଟି ଦର୍ଶାଇ ବାଚସ୍ପତି ଏହି ପିଟିସନଗୁଡ଼ିକୁ ଖାରଜ କରିଦେଇଥିଲେ।

ବାଚସ୍ପତିଙ୍କ ଏହି ଖାରଜ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବିଜେଡି ହାଇକୋର୍ଟରେ ପୃଥକ ୮ଟି ମାମଲା ରୁଜୁ କରିଛି। ବିଜେଡି ଦଳର ମୂଳ ଅଭିଯୋଗ ହେଲା ତଥ୍ୟପ୍ରମାଣ ଓ ଯୁକ୍ତିକୁ ବିଚାର ନକରି କେବଳ ପ୍ରକ୍ରିୟାଗତ ସାମାନ୍ୟ ତ୍ରୁଟି ଦର୍ଶାଇ ପିଟିସନ ଖାରଜ କରାଯିବା ଆଇନସଙ୍ଗତ ନୁହେଁ, ଆବେଦନକାରୀଙ୍କୁ ପକ୍ଷ ରଖିବା କିମ୍ବା ତ୍ରୁଟି ସୁଧାରିବାକୁ ସୁଯୋଗ ଦିଆଯିବା ଉଚିତ ଥିଲା। ତେଣୁ ଜୁନ୍ ୧୯ର ସେହି ଖାରଜ ବିଜ୍ଞପ୍ତିକୁ ରଦ୍ଦ କରାଯାଉ ଏବଂ ବାଚସ୍ପତି ଏହି ପ୍ରସଙ୍ଗରେ ସାନି ଶୁଣାଣି କରନ୍ତୁ ବାେଲି ଯୁକ୍ତି ରଖିଥିଲା। ବିଜେଡି ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନ୍‌ଗୋ ଓ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

Leave A Reply

Your email address will not be published.