ଗଞ୍ଜାମ : କାନ୍ଦି କାନ୍ଦି ମାଟିରେ ଲୋଟି ପଡୁଛି ଭଉଣୀ। କଥା ଦେଇଥିଲା ଭାଇ। ଏଇ ରାକ୍ଷୀରେ ଘରକୁ ଆସିବ। ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ବଡ଼ ସରାଗରେ ଚାହିଁ ବସିଥିଲା ହତଭାଗିନୀ ଭଉଣୀ। ଆଜି କାଲି ନୁହେଁ, ଦୀର୍ଘ ୨ ବର୍ଷ ହେଲା ଅପେକ୍ଷା କରିଥିଲା। ହେଲେ କିଏ ଜାଣିଥିଲା ହାତରେ ସେଇ ରକ୍ଷା ସୁତ୍ରଟି ବାନ୍ଧିବା ପୂର୍ବରୁ ଏ କାଳ ବିଦେଶ ମାଟିଟା ତା ଗୋଟିଏ ବୋଲି ଭାଇର ଜୀବନ ନେଇଯିବ ବୋଲି। ଗଞ୍ଜାମ ଖଲ୍ଲିକୋଟ ଫାସୁଳା ଗାଁର କୈଳାଶ ଗୌଡ଼ ଦୁବାଇରେ କାମ କରୁଥିଲେ। ଦୀର୍ଘଦିନ ହେଲା ଘରକୁ ଆସିନଥିବାରୁ ଏଥର ରାକ୍ଷୀରେ ଆସିବାକୁ ଟିକେଟ୍ କାଟିଥିଲେ। ଫୋନ୍ କରି ଏୟାରପୋର୍ଟରୁ ନେବାକୁ ଆସିବା ପାଇଁ ମଧ୍ୟ କହିଥିଲେ। ହେଲେ କମ୍ପାନୀରେ କାମ କରୁଥିବା ସମୟରେ ଉତ୍ତମ ଅଚେତ ହୋଇପଡ଼ିଥିଲେ ଏବଂ ସେଠାକାର ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଗତକାଲି ଦୁବାଇରୁ ଫୋନ୍ ଆସିଲା, ଉତ୍ତମ ଆଉ ନାହାନ୍ତି।
ଏପଟେ ଉତ୍ତମଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇବା ପରେ ଚଟାଣରେ ମୁଣ୍ଡ ପିଟି କାନ୍ଦି କାନ୍ଦି ଅଚେତ ହୋଇପଡୁଛନ୍ତି ପତ୍ନୀ ସାଗରିକା। ମାତ୍ର ୪ ବର୍ଷ ତଳେ ବାନ୍ଧି ହୋଇଥିଲା ପତି-ପତ୍ନୀଙ୍କ ସଂସାର। ଘର କାନ୍ଥରେ ବାହାଘର ଦିନ ଲେଖାଯାଇଥିବା ‘ଶୁଭ ବିବାହ’ ର ଚିତ୍ର ଏବେ ବି ସତେଜ ହୋଇ ରହିଛି। ହେଲେ ସାତ ଜନମର ସାଥୀ ହେବା ପାଇଁ ପ୍ରତିଜ୍ଞାକୁ ଭାଙ୍ଗିଦେଇ ଚାଲିଗଲେ ଉତ୍ତମ। ସେପଟେ ଘରେ ତାଙ୍କର ୩ ବର୍ଷର କୋମଳମତି ପୁଅ। ଘରେ କାନ୍ଦ ବୋବାଳି ଚାଲିଥିବା ବେଳେ ସେ କେବଳ ସମସ୍ତଙ୍କୁ ବଲ ବଲ କରି ଚାହିଁ ଚହିଛି। ବାପା ଆଉ କେବେ ଫେରିବେନି ସେକଥା ସେ ବୁଝିବ ବା କେମିତି ।
ପରିବାରର ଗୋଟିଏ ବୋଲି ରୋଜଗାରିଆ ପୁଅ ଥିଲେ ଉତ୍ତମ। ଘରର ଆର୍ଥିକ ଅନଟନ ଦୂର କରିବାକୁ ଦୁଇ ବର୍ଷ ତଳେ ୭୦ ହଜାର ଟଙ୍କା ଋଣ କରି ଦୁବାଇ ଯିବା ପରେ ସେଠାରେ ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ହେଲେ ସେଇ ବିଦେଶ ମାଟି ତାଙ୍କ ଜୀବନ ନେଇଗଲା। ଏବେ ମରଶରୀରକୁ ଗାଁକୁ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ଗୁହାରି କରିବା ସହ ପରିବାରକୁ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।
ଆଜି ବି ଗଞ୍ଜାମର ଗାଁ ଗାଁରେ ଦାଦନ ଜ୍ୱାଳା ଜଳୁଛି। ଏବେ ପ୍ରଶ୍ନ ଉଠୁଛି, କେବେ ସରିବ ଏହି ଦାଦନ ଯନ୍ତ୍ରଣା ? କେବେ ମିଳିବ ନିଜ ଭିଟାମାଟିରେ ରୋଜଗାର ?