ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ ।

0

ମୋହନା,୨୧ା୮(ମନୋଜ ପାଢ଼ୀ): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ ରାସ୍ତାରେ ଚାଲିଚାଲି ଯିବାକୁ ପଡୁଛି। ମଙ୍ଗଳବାର ଏହି ରାସ୍ତାରେ ସାଇକେଲରେ ବିଦ୍ୟାଳୟକୁ ଯାଉଥିବା ଜଣେ ଛାତ୍ର ପଡିଯାଇ ଗୁରୁତର ହୋଇଛନ୍ତି। ତାଙ୍କ ନାଁ ଚିନୁ ମଲିକ (୧୧), ସେ ପଞ୍ଚମ ଶ୍ରେଣୀରେ ପଢନ୍ତି। ପାହାଡିଆ, ପଥୁରିଆ ରାସ୍ତାରେ ଚିନୁ ଭାରସାମ୍ୟ ହରାଇ ପଡିଯିବା ପରେ ତାଙ୍କ ଅନ୍ତଃ ନଳୀ ବାହାରକୁ ବାହାରି ଆସିଥିଲା। ତେବେ ସେ ଡରି ନ ଯାଇ ପିନ୍ଧିଥିବା ଶାର୍ଟରେ ଅନ୍ତଃ ନଳୀକୁ ଧରି ଘରକୁ ଫେରିଥିଲେ। ତାଙ୍କୁ ପରିବାର ଲୋକେ ପ୍ରଥମେ ଗଞ୍ଜାମ ଜିଲାର ବଡ଼ଗଡ଼ ମେଡିକାଲ ନେଇଥିଲେ। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
କେବଳ ବିଦ୍ୟାଳୟ ଯାଉଥିବା ପିଲା ନୁହନ୍ତି ଏହି ରାସ୍ତା ତନାର୍ଜିପଲ୍ଲୀର ପ୍ରତ୍ୟେକ ଲୋକଙ୍କ ପାଇଁ ସମସ୍ୟା ପାଲଟିଛି। ଗାଁରେ ୬୦ରୁ ଅଧିକ ପରିବାର ବସବାସ କରୁଥିଲେ ମଧ୍ୟ ଏଯାଏ ଗ୍ରାମର ମୌଳିକ ସମସ୍ୟା ଦୂର ହୋଇପାରିନି। ଆମ୍ବୁଲାନ୍ସ ଗାଁ ଭିତରକୁ ଯାଇପାରୁନି। ରୋଗୀଙ୍କୁ ୫ କି.ମି. ଦୋଳାରେ ବୋହି ନେବାକୁ ପଡ଼ୁଛି। ଯୋଗାଯୋଗ ପାଇଁ ତିନି ବର୍ଷ ହେଲା ବିଏସଏନଏଲ ଟାୱାର ପୋତାଯାଇଛି ମାତ୍ର ଏଯାଏ ନେଟୱର୍କ ଆସିନାହିଁ। ଜରୁରୀ ଫୋନ କରିବାକୁ ହେଲେ ଗ୍ରାମବାସୀଙ୍କୁ ୩ କି.ମି. ଦୂରକୁ ଯିବାକୁ ପଡ଼ୁଛି। ଗ୍ରାମକୁ ଭଲ ରାସ୍ତାଟି ତିଆରି କରି ଦେବାକୁ ପ୍ରଶାସନ ନିକଟରେ ବାରମ୍ବାର ଜଣାଇ ଏଯାଏ ସୁଫଳ ମିଳିନି। କେବଳ ରାସ୍ତା ନୁହେଁ ପାନୀୟଜଳ, ସ୍ବାସ୍ଥ୍ୟସେବା ପରି ସମସ୍ୟା ମଧ୍ୟ ରହିଛି ତାନାର୍ଜିପଲ୍ଲୀରେ। ପ୍ରଶାସନ ଏଥିପ୍ରତି ଦୃୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି।

Leave A Reply

Your email address will not be published.