ରାୟଗଡ଼, ୧୫/୦୮/୨୦୨୬: ରାୟଗଡ଼ ଜିଲ୍ଲାରେ ଉତ୍ସାହ, ଗରିମା ଓ ଦେଶଭକ୍ତିର ଭାବନା ସହ ୮୦ତମ ସ୍ୱାଧୀନତା ଦିବସ ଧୁମଧାମରେ ପାଳିତ ହୋଇଛି। ସ୍ଥାନୀୟ ପିଏମ୍ ଶ୍ରୀ ଜିସିଡି ହାଇସ୍କୁଲ ପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ରାୟଗଡ଼ ଏସ୍ପି ଶ୍ରୀ ରାଜ ପ୍ରସାଦ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ପତାକା ଉତ୍ତୋଳନ ପରେ ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣୀ ପରେଡ୍ ନିରୀକ୍ଷଣ କରିଥିଲେ। ଏହି ଅବସରରେ ସିଆରପିଏଫ୍ ଓ ଓଡ଼ିଶା ପୋଲିସ ସମେତ ପ୍ରାୟ ୪୦ଟି ପ୍ଲାଟୁନ୍ ଭବ୍ୟ ପରେଡ୍ରେ ଅଂଶଗ୍ରହଣ କରି ଦେଶପ୍ରେମ ଓ ଶୃଙ୍ଖଳାର ଚମତ୍କାର ପ୍ରଦର୍ଶନ କରିଥିଲେ। ପରେଡ୍ର ସୁଚାରୁ ପରିଚାଳନା ଓ ଶୃଙ୍ଖଳାବଦ୍ଧ ଉପସ୍ଥାପନା ପାଇଁ ରିଜର୍ଭ ଇନ୍ସପେକ୍ଟର, ରାୟଗଡ଼ ଶ୍ରୀ ଦିନେଶ କୁମାର ସାହୁଙ୍କ ଭୂମିକା ବିଶେଷ ଭାବେ ପ୍ରଶଂସନୀୟ ଥିଲା।






ସ୍ୱାଧୀନତା ଦିବସ ସମାରୋହରେ ବିଭିନ୍ନ ପ୍ରତିଯୋଗିତା, ବିଭିନ୍ନ ବୋର୍ଡ, ବିଷୟ ଓ ଶିକ୍ଷାଧାରାରେ ଦଶମ, ଦ୍ୱାଦଶ ଏବଂ ସ୍ନାତକ ସ୍ତରରେ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀ, ଦେଶସେବା, ସମାଜସେବା, ପରିବେଶ ସୁରକ୍ଷା ଓ ସାହସିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
ଦେଶସେବା ପାଇଁ ଭାରତୀୟ ସେନାବାହିନୀର ଶ୍ରୀ ଦେବୀ ପ୍ରସାଦ ପାଣିଗ୍ରାହୀ, ଭାରତୀୟ ବାୟୁସେନାର ଶ୍ରୀ ଲକ୍ଷ୍ମୀନାରାୟଣ ପାଢ଼ୀ ଏବଂ ଭାରତୀୟ ନୌସେନାର ଶ୍ରୀ ଠାକୁର ପ୍ରସାଦ ଜେନାଙ୍କୁ ମଧ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା। ସେହିପରି ସମାଜସେବା ପାଇଁ ଶ୍ରୀ ଅନାଦି ଗରଡା ଏବଂ ପରିବେଶ ସୁରକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପ୍ରକୃତି ବନ୍ଧୁ ଶ୍ରୀମତୀ ଟି. ଗୌରୀଙ୍କୁ ସମ୍ମାନିତ କରାଯାଇଥିଲା।
ସାହସିକତା ପାଇଁ କଲ୍ୟାଣସିଂହପୁର ଅଞ୍ଚଳର ତିନି ଜଣଙ୍କୁ ସେମାନଙ୍କ ସାହସ ଓ ମାନବିକତା ପାଇଁ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ ଭାଲେରୀ ଗ୍ରାମର ଶ୍ରୀ ବଳରାମ ବାଗ, ଇଣ୍ଟାଲିଗୁଡ଼ା ଗ୍ରାମର ଶ୍ରୀ ପୁରୁଷୁ ହିକକା ଏବଂ ବିନିଶପୁର ଗ୍ରାମର ଶ୍ରୀ ରାମଚନ୍ଦ୍ର ପାଲକା। ସାହସିକତାର ପରିଚୟ ଦେଇ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସେମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।



କ୍ରୀଡ଼ା କ୍ଷେତ୍ରରେ ଜାତୀୟ ସ୍ତରରେ ସଫଳତା ହାସଲ କରି ଜିଲ୍ଲାର ଗୌରବ ବଢ଼ାଇଥିବା ମୌସୁମୀ ମାଝୀ ଓ ସ୍ଵପ୍ନା ହୁଇକାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଉଭୟେ ଜାତୀୟ ସ୍ତରୀୟ ଥ୍ରୋ ବଲ୍ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିବାରୁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା।
ସମାରୋହରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରେଡ୍, ପିଇଟି ପ୍ରଦର୍ଶନ, ଦେଶଭକ୍ତିମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସାଇବର ପୋଲିସ ପକ୍ଷରୁ ପ୍ରଦର୍ଶିତ ପ୍ରଦର୍ଶନୀ ରଥ ମଧ୍ୟ ଉପସ୍ଥିତ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା।
ଏହି ଗରିମାମୟ ଆୟୋଜନକୁ ସଫଳ କରିବାରେ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଆର୍ ଆଣ୍ଡ୍ ବି ବିଭାଗ, ପୌରପାଳିକା, ପିଏଚ୍ଡି, ବିଭିନ୍ନ ଲାଇନ୍ ବିଭାଗ, ଜନପ୍ରତିନିଧି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସମସ୍ତ ସହଯୋଗୀଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ଥିଲା।



୮୦ତମ ସ୍ୱାଧୀନତା ଦିବସର ସମଗ୍ର ଆୟୋଜନ, ବିଭିନ୍ନ ବିଭାଗ ସହ ସମନ୍ୱୟ, ପ୍ରଚାର-ପ୍ରସାର ଓ ଗଣମାଧ୍ୟମ ସହ ଯୋଗାଯୋଗ କାର୍ଯ୍ୟକୁ ସୁଚାରୁ ଭାବେ ସମ୍ପାଦନ କରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରିଙ୍କ ଭୂମିକା ମଧ୍ୟ ଉଲ୍ଲେଖନୀୟ ରହିଥିଲା।
ପରେଡ୍ ସମାପ୍ତ ହେବା ପରେ ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ମାନବିକତାର ଏକ ଉଦାହରଣ ସୃଷ୍ଟି କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଏବଂ ଜିଲ୍ଲା କାରାଗାରରେ ଥିବା କଏଦୀମାନଙ୍କୁ ଫଳ ବଣ୍ଟନ କରିଥିଲେ। ସ୍ୱାଧୀନତା ଦିବସର ଏହି ଅବସରରେ ଅସହାୟ ଓ ଆବଶ୍ୟକତା ଥିବା ବର୍ଗଙ୍କ ପ୍ରତି ସମବେଦନା, ସହାନୁଭୂତି ଓ ମାନବିକ ଦୃଷ୍ଟିକୋଣର ବାର୍ତ୍ତା ଦିଆଯାଇଥିଲା।
ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଜାତୀୟ ପର୍ବକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ଲାଇନ୍ ବିଭାଗ, ଆର୍ ଆଣ୍ଡ୍ ବି, ପୌରପାଳିକା, ପିଏଚ୍ଡି, ପୋଲିସ ପ୍ରଶାସନ, ଜନପ୍ରତିନିଧି, ଅଧିକାରୀ-କର୍ମଚାରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ରାୟଗଡ଼ବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଯାଇଛି। ସମସ୍ତଙ୍କ ସମିଳିତ ପ୍ରୟାସ, ସହଯୋଗ ଓ ସମନ୍ୱୟରେ ୮୦ତମ ସ୍ୱାଧୀନତା ଦିବସ ସମାରୋହ ଏକ ସ୍ମରଣୀୟ ଓ ଗରିମାମୟ ଜାତୀୟ ପର୍ବରେ ପରିଣତ ହୋଇଥିଲା।