ଭୁବନେଶ୍ୱର: ସହରାଞ୍ଚଳରେ ଟ୍ରାଫିକ୍ ଭିଡ଼ ଓ ଦୁର୍ଘଟଣା କମାଇବା ପାଇଁ ନୂଆ ଜାତୀୟ ରାଜପଥ ନୀତିରେ ୪ ଲେନ୍ ବିଶିଷ୍ଟ ବାଇପାସ୍ ଓ ରିଙ୍ଗ୍ରୋଡ୍ ନିର୍ମାଣକୁ ଗୁରୁତ୍ୱ ଦିଆଯାଇଛି। ସହର ଓ ଉପକଣ୍ଠରେ ନିର୍ମାଣ ହେବାକୁ ଥିବା ନୂଆ ବାଇପାସ୍ ଓ ରିଙ୍ଗ୍ରୋଡ୍ ସର୍ବନିମ୍ନ ୪ ଲେନ୍ର ହେବ ଏବଂ ଏଥିରେ ପ୍ରବେଶ ନିୟନ୍ତ୍ରଣ ବ୍ୟବସ୍ଥା ରହିବ।
ଏହି ରାସ୍ତାଗୁଡ଼ିକୁ ଏଭଳି ଭାବେ ନିର୍ମାଣ କରାଯିବ, ଯାହାଦ୍ୱାରା ଦ୍ରୁତଗତିରେ ଯାନବାହନ ଚଳାଚଳ କରିପାରିବ। ସହର ଭିତରେ ଭାରୀ ଯାନ ଓ ଦୂରଗାମୀ ଯାତାୟାତର ଚାପ କମାଇବା ସହ ସ୍ଥାନୀୟ ଯାତାୟାତକୁ ସୁଗମ କରିବା ଏହାର ମୁଖ୍ୟ ଲକ୍ଷ୍ୟ।
ବାଇପାସ୍ ଓ ରିଙ୍ଗ୍ରୋଡ୍ରେ ଅନିୟନ୍ତ୍ରିତ ଯାତାୟାତ ରୋକିବା ସହ ଦୁଇଟି ଛକ ମଧ୍ୟରେ ସର୍ବନିମ୍ନ ୫ କିମି ଦୂରତା ରଖାଯିବ। ସେହିପରି ସ୍ଥାନୀୟ ଯାନ ପାଇଁ ସର୍ଭିସ୍ ରୋଡ୍ ନିର୍ମାଣ କରାଯିବ।
ଏହାସହ ରାସ୍ତା କଡ଼ରେ ଅନିୟନ୍ତ୍ରିତ ବ୍ୟବସାୟିକ ଓ ଆବାସିକ ନିର୍ମାଣ ଉପରେ ରୋକ୍ ଲଗାଯିବ। ବାଇପାସ୍ର ଉଭୟ ପାର୍ଶ୍ୱରେ ୧୫ ମିଟର ଅଞ୍ଚଳକୁ ‘ନୋ-ଡେଭଲପମେଣ୍ଟ ଗ୍ରିନ୍ ଜୋନ୍’ ଭାବେ ରଖାଯିବ। ନୂଆ ବ୍ୟବସ୍ଥା ଲାଗୁ ହେଲେ ସହରର ଟ୍ରାଫିକ୍ ଚାପ କମିବା ସହ ଯାତାୟାତ ଅଧିକ ସୁରକ୍ଷିତ ଓ ସୁଗମ ହେବ ବୋଲି ଆଶା କରାଯାଉଛି।