ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ୨୦୨୬-୨୭
ତରଭା, ତା ୦୧/୦୮ : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପ୍ରଧାନ ଆଚାର୍ଯ୍ୟ ମହେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୟ ପ୍ରକାଶ ନାରାୟଣ ସାହୁ ମା ଶାରଦାଙ୍କଠାରେ ପ୍ରଦୀପ ପ୍ରଜ୍ବଳନ କରି ବିଜ୍ଞାନର ଜୟଯାତ୍ରା ବିଷୟରେ ଆଲୋକପାତ କରିଥିଲେ । ପରିଚାଳନା ସମିତିର ସଭାପତି ଲକ୍ଷ୍ମଣ ରଣା , ଉପସଭାପତି କୃପାନିଧି ମିଶ୍ର ସମ୍ମାନିତଭାବେ ମଞ୍ଚାସୀନ ଥିଲେ । ପ୍ରଧାନ ଆଚାର୍ଯ୍ୟ ଉଦ୍ଦେଶ୍ୟଜ୍ଞାପନ କରିଥିବାବେଳେ ସଭାପତି ଶ୍ରୀ ରଣା ଧନ୍ୟବାଦ ଅର୍ପଣ କରିଥିଲେ। ବିଜ୍ଞାନ ଓ ଗଣିତ ପ୍ରକଳ୍ପରେ ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ପରାଗ ମେହେର, ଅର୍ପଣ କୁମାର ଦାସ, ନିଶାନ୍ତ ସାହୁ ଏବଂ ନିରଞ୍ଜନ ରଣା ଶିଶୁମାନଙ୍କର ମୂଲ୍ୟାୟନ କରିଥିଲେ । ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ନଗରପାଳ ଶୈଳେନ୍ଦ୍ର ସାହୁ, ସମ୍ମାନିତ ଅତିଥି ବରିଷ୍ଠ ଶିକ୍ଷକ ପ୍ରଦ୍ୟୁମ୍ନ ମହାନ୍ତି ଓ ଆଶିଷ ସେଠୀ ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରି ମାର୍ଗଦର୍ଶନ ଦେଇଥିଲେ । ଅନୁଷ୍ଠାନର ସୁରେଶ ମାହାର ବିବରଣୀ ପଠନ ତଥା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ବିଜ୍ଞାନ ମେଳାରେ ୩୫୦ଟି ବିଜ୍ଞାନ ପ୍ରକଳ୍ପ ତଥା ୨୦ଟି ଗଣିତ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସେହିପରି ପତ୍ରବାଚନରେ ୩୦ ଜଣ , ଗଣିତ ଓ ବିଜ୍ଞାନ ପ୍ରୟୋଗରେ ୧୫ ଜଣ ଶିଶୁ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ପ୍ରତିଭାଗୀ ଭାଇଭଉଣୀମାନେ ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବେ ବୋଲି ପ୍ରଧାନ ଆଚାର୍ଯ୍ୟ ଜଣେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଅଭିଭାବକ ଅଭିଭାବିକା ଯୋଗଦାନ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁଜୀ / ଗୁରୁମା ସେବକ / ସେବିକା ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।