ଲକ୍ଷ୍ମୀ ନାରାୟଣ କଳି ବଡ଼ଘର ବଡ଼ ଗୁମର କଥା
ଲକ୍ଷ୍ମୀ ନାରାୟଣ କଳି
ବଡ଼ଘର ବଡ଼ ଗୁମର କଥା
===============
ଘରକରି କୋଉଘରେ ଅବା ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ା ନାହିଁ l ଝଗଡ଼ା, ରାଗ, ଅଭିମାନ,ବିଷାଦ, ମିଳନ ଇଏତ ଦାମ୍ପତ୍ୟଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ l ସେଥିପାଇଁ ଗାଉଁଲି ଭାଷାରେ କୁହାଯାଏ,”ଘଇତା ମାଇପ କଳି,ସକାଳେ ସକାଳେ ମୁହଁ ଫଟା ଫଟି ସଞ୍ଜବେଳେ କୋଳାକୋଳି”l ଏହାହିଁ ପାରିବାରିକ ଜୀବନର, ସ୍ବର୍ଗୀୟ ସୁଷମା l ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତ ଗଣ ଦେବତା, ସିଏ ବା ପୁଣି ଏଥିରୁ ବାଦଯିବେ କିପରି l ହେଲେ ମହାପ୍ରଭୁ ତ ! ତାଙ୍କ ବଡ଼ଘରର ଇଏ ବଡ଼ ଗୁମର କଥା l ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହା ଏକ ରୋଚକ ଅଧ୍ୟାୟ l
ସାଧାରଣ ମନୁଷ୍ୟଭଳି ଏହା ଜଗତ ଠାକୁରଙ୍କର ବଡ଼ ଘରର କଳି l ତେବେ, ଏ ବଡ଼ ଘର କଳିର ଗୁମର କଥାଟି କଅଣ ?
ମହାପ୍ରଭୁଙ୍କ ରୁକ୍ମିଣୀଙ୍କ ବା ଲକ୍ଷ୍ମୀଙ୍କସହ ବିବାହର ତିନି ଦିନ ପରେ ପଡ଼େ ଜ୍ୟେଷ୍ଠ ପୂର୍ଣ୍ଣମୀ l ସେଦିନ ମହାପ୍ରଭୁଙ୍କ ଜନ୍ମ ଦିବସ l ଭାଇ ଭଉଣୀଙ୍କ ସହ ମହାପ୍ରଭୁ ଭକ୍ତଙ୍କ ଗହଣକୁ ଆସି ବଡ଼ ଆନନ୍ଦରେ ପାଣି ଢାଳି ହୋଇ ବହୁତ ଗାଧାନ୍ତି ଏବଂ ଭୀଷଣ ଜ୍ୱରରେ ପଡ଼ି ଭାଇ ଓ ଭଉଣୀଙ୍କ ସହ ଅଣସର ଘରେ ରୁହନ୍ତି l ପନ୍ଦର ଦିନ ପରେ ସୁସ୍ଥ ହୁଅନ୍ତି l ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସେ ଦାଣ୍ଡକୁ ଓଲ୍ହାଇ ଆସନ୍ତି ଓ ରଥଚଢ଼ି ଭାଇଭଉଣୀଙ୍କୁ ଧରି ଗୁ୍ଣ୍ଡିଚା ମନ୍ଦିରକୁ ଚାଲି ଯାଆନ୍ତି l ସ୍ନାନ ବେଦୀକୁ ଯିବା ପୂର୍ବରୁ ତାଙ୍କର ଚତୁର୍ଥୀ ହୋମ ଆଦି ହୋଇ ସାରିଥାଏ,କିନ୍ତୁ ସେ ଅଣସର ଘରେ ରହି ଥିବାରୁ ସପ୍ତ ମଙ୍ଗଳାର ବାହା ଗଇଣ୍ଠାଳ ଫିଟା କର୍ମ ଆଦି ହୋଇପାରି ନଥାଏ l ଗୋଟିଏ ଦିନ ବି ସେ ମାଆ ଲକ୍ଷ୍ମୀଙ୍କ ସହ ଏକାନ୍ତ ବାସରେ ବିତାଇ ନ ଥାନ୍ତି l ପୁଣି ଗୁଣ୍ଡିଚା ଯାତ୍ରାରେ ସେ ଲକ୍ଷ୍ମୀ ଠାକୁରାଣୀଙ୍କୁ ସାଙ୍ଗରେ ନନେଇ ଭାଇ ଭଉଣୀଙ୍କୁ ଧରି ବାହାରି ଯାଆନ୍ତି l ଏହାକୁ କୋଉ ଘରଣୀ ସହିବ ମ?
ପାଞ୍ଚ ଦିନ କାଳ ମାଆ ଅନାଇଁ ବସିଲେ,ପ୍ରଭୁଙ୍କର କିଛି ଖୋଜ ଖବରନାହିଁ l ଆଉ ସମ୍ଭାଳି ପାରିଲେ ନାହିଁ ମାଆ l ମହାରୋଷ ହୋଇ ଦାସୀ, ସେବକ ମାନଙ୍କୁ ଡାକି କହିଲେ, ମୋ ପାଲିଙ୍କି ସଜକର ତ, ମୁଁ ଯାଇ ଟିକିଏ ଦେଖି ଆସେ କି ଲୀଳା ଚାଲିଛି l
ଆଡ଼ପ ମଣ୍ଡପରେ ଦେଢ଼ଶୁର ବସିଛନ୍ତି, କେମିତି ଆଗକୁ ଯିବେ ! ଓଢଣୀଟା ଟାଣି ଆଣି ନାକଚଣା ଦ୍ୱାର ଦେଇ, ଚୁପ କରି ଦେଖିଲେ, ଭାଇ ଭଉଣୀ ତିନିହେଁଙ୍କ କି ଆନନ୍ଦ ଚାଲିଛି l ଫୁଲେଇ ଭଉଣୀ ସୁଭଦ୍ରା ତ ଭାରି ଗେହ୍ଲଇ ହେଉଛି l କଅଣ ଆଉ କରିବେ l ମୋହଚୁର୍ଣ୍ଣ ଟିକିଏ ପକାଇ ଦେଇ ଆସି ବାହାରେ ଦେଖନ୍ତି ତ ନନ୍ଦିଘୋଷ ଠିଆ ହୋଇଛି l ସବୁ ନାଟର ଗୋବର୍ଦ୍ଧନ ଏଇ ନନ୍ଦିଘୋଷ, ଏପରି କହି ମୁଗୁରରେ ପାହାରେ ପିଟିଦେଲେ ଯେ, କାଠ ଖଣ୍ଡିଏ ଭାଙ୍ଗି ଗଳି ପଡ଼ିଲା l ସେ କାଠ ଖଣ୍ଡଟାକୁ ଧରି ତମ ତମ ହୋଇ ବାହାରି ଆସିଲେ l କାଳେ କିଏ ଦେଖିନେବ ଭାବି ସିଧା ଶ୍ରୀମନ୍ଦିରକୁ ନଆସି ହେରାଗୋହିରି ସାହି ଦେଇ ଫେରି ଆସିଲେ l
ନବଦିନାତ୍ମକ ଯାତ୍ରା ସାରି, ମହାପ୍ରଭୁ ବାହୁଡ଼ାରେ ଫେରି ଆସିଲେ ଶ୍ରୀମନ୍ଦିର ନିକଟକୁ l ସିଂହଦ୍ୱାର ସାମ୍ନାରେ ରଥ ଉପରେ ଥାଇ ମହାପ୍ରଭୁଏକାଦଶୀ ଦିନ ଐଶ୍ଵର୍ଯ୍ୟମୟ ସୁନାବେଶ ତଥା ଦ୍ୱାଦଶୀ ଦିନ ଅଧର ପଣା ନୀତି ସମାପ୍ତ କଲେ l ଘୋଷ ଯାତ୍ରା ପର୍ବର ସମାପ୍ତି ଏହିଠାରେ l ଏବେ ଭାଇ ଭଗ୍ନୀଙ୍କୁ ଧରି ମହାପ୍ରଭୁ ଫେରିଯିବେ ଶ୍ରୀମନ୍ଦିର ରତ୍ନବେଦୀ ଉପରକୁ l
ତେଣେ ଶ୍ରୀମନ୍ଦିର ମାଲିକାଣି ଜଗି ବସିଛନ୍ତି ଠିକ ବେଳେ ପ୍ରଭୁଙ୍କୁ ପାନେ ଦେବେ ବୋଲି l ମହାପ୍ରଭୁ ରଥରୁ ଓହ୍ଲାଇ ସିଂହଦ୍ୱାରକୁ ଯାଉଛନ୍ତି ମହାଲକ୍ଷ୍ମୀ ସିଆଡୁ ଦାସୀ, ସଖି ମାନଙ୍କ ସହ ଆସି ସିଂହଦ୍ୱାର କବାଟ କିଳି ଦେଇ କହିଲେ :-
ତୁମ୍ଭର ଏ ପୁରେ ବିଜେ କରିବାର
ଉପୁଜିବ ବଡ଼ ଲାଜ l
ଯାଅ ଯାଅ ଫେରି ନୀଳାଦ୍ରିବିହାରୀ
ଭଉଣୀକି ନେଇ ଆଜ ll
ଆରମ୍ଭ ହୋଇଗଲା ମହାପ୍ରଭୁ ଏବଂ ମହାଲକ୍ଷ୍ମୀଙ୍କ ମଧ୍ୟରେ ଝଗଡ଼ା ” ଲକ୍ଷ୍ମୀ ନାରାୟଣ କଳି “l ଚିଡି
ଯାଇ ମହାପ୍ରଭୁ କହିଲେ,”ଏ ନାରୀ ଜାତିଟା ସବୁ ଅନର୍ଥର ମଞ୍ଜି,ଭଲା ବିଧାତା ଆଙ୍କୁ ଗଢ଼ିଲା ତାଙ୍କରି ପାଲରେ ପଡ଼ି ପୁରୁଷମାନେ ସବୁବେଳେ ଦହଗଞ୍ଜ ହୋଇ ମଲେ l ଦୁନିଆଁ ଯାକ ରାଗ ରୁଷା ତାଙ୍କରି ଠାରେ l ଟିକେ କଟୁକଥା ସହ୍ୟ କରି ପାରିବେନି l ହଉ ଲୋ ପଦ୍ମମୁଖୀ ! ତୋ ଶ୍ରୀମୁଖକୁ ଝୁରି ଝୁରି ମୋର ଦେହ କଣ୍ଟା ହେଲାଣି l ନଅଦିନ ମୋତେ ନଅ ଯୁଗ ପ୍ରାୟ ଲାଗୁଛି l ଏବେ ଗୁମାନ ତେଜ୍ୟା କରି କବାଟ ଖୋଲ “l
ମାଆ ପରା ସାଗରଦୁଲଣୀ l ପିତା ତାଙ୍କର ସ୍ୱୟଂ ରତ୍ନାକର l ସିଏ କି ସହଜେ ଛାଡ଼ନ୍ତି l ମହାଲକ୍ଷ୍ମୀ କହିଲେ,ହଉ ସେ ସିହାଣିଆ କଥା ସବୁ ଛାଡ଼, ଏ ଭଙ୍ଗା କୁଡ଼ିଆଟାରେ କାହିଁକି ପଶିବ, ଯାଅ ସେହି ଅଲାଜୁକି ଭଉଣୀଟାକୁ ଧରି ବୁଲୁ ଥାଅ l ମୁହଁରେ ତାର ତ ଲାଜ ସରମ କିଛି ନାହିଁ l ଇଏ ତା’ ଜାତି ସ୍ଵଭାଵ l ବାପ ନନ୍ଦ ଗୋଉଡ଼,ଝିଅ ଜେମା ଦେଇ, ମୁହଁରେ ହଳଦୀ ମେଞ୍ଚାଏ ମାଖି, ଛାତିକୁ ଫୁଲାଇ, ବାହା ଦୋହଲାଇ ଦାଣ୍ଡରେ ଘିରି ଘିରି ବୁଲିବା ତ ତାର ସ୍ଵଭାଵ l ଯେମନ୍ତ ଭାଇକୁ ତେମନ୍ତ ଭଉଣୀ, କେହି କାହାକୁ କମ୍ ନୁହେଁ l ଆଚ୍ଛା କହିବ କି ପ୍ରଭୁ ଆପଣଙ୍କ ଦର୍ଶନ ପାଇଁ ତ ଇନ୍ଦ୍ର, ଚନ୍ଦ୍ର,ବରୁଣ ସର୍ବ ଦେବାଦେବୀ ଆସୁଛନ୍ତି,କେଉଁ ଦେବତାଙ୍କ ଦର୍ଶନ ପାଇଁ ପୁଣି ଆପଣ ଗଲେ l ସେ ଗୋପ ଗଉଡ଼ୁଣୀ ମାନଙ୍କ କଥା ମନେ ପଡ଼ିଲା କି?
ମହାପ୍ରଭୁ କହିଲେ, ଦେବୀ ତୁମର ମନେ ନାହିଁକି ମାଆ ଗୁଣ୍ଡିଚାଙ୍କୁ ଆମ୍ଭେ କଥା ଦେଇଥିଲୁ ବୋଲି l ତମେ ତ ଜାଣ ମୁଁ ଭକ୍ତ ଭାବଗ୍ରାହୀ ବୋଲି l ଭକ୍ତ ବାଞ୍ଛା ତ ଆମେ ଯୁଗେ ଯୁଗେ ପୁରାଇ ଆସିଅଛୁ l ମାଆ କହିଲେ ହଉ ହେଲା l ମୋତେ ତାହେଲେ ଟିକିଏ ବୁଝାଇଦିଅ ମୋତେ ସାଙ୍ଗରେ ନେଲନାହିଁ କେଉଁଥି ପାଇଁ l
ଚତୁର ଚିନ୍ତାମଣିଙ୍କୁ କଥାରେ କିଏ ପୁଣି ପାରିବ l ପ୍ରଭୁ କହିଲେ,ଆରେ ପ୍ରାଣସହୀ ! ଏ ତ ସାମାନ୍ୟ କଥା l ସାଙ୍ଗରେ ଦେଢ଼ଶୁର ଥିଲେ ପରା !!! ଏହା କଣ ଦାଣ୍ଡକୁ ଶୋଭାପାଇଥାନ୍ତା l ବୃଥାରେ ତୁମେ ଖାଲି ଅଭିମାନ କରୁଛ, ଦେଖ ତୁମପାଇଁ କେତେ ଗହଣା,ଶାଢ଼ୀ,ଚୁଡ଼ି ଆଣିଛି l ତାକୁ ସବୁ ଗଣିକରି ରଖ, ଆଉ ଏବେ କବାଟ ଫିଟାଅ l
ଏତେ କହିଲାପରେ ମଧ୍ୟ ମହାଲକ୍ଷ୍ମୀ ନବୁଝି ପୁଣି କହିଲେ ଏସବୁ ଯାହା ଆଣିଛ, ମୁଁ ସେସବୁ ପାଇଁ ଭାର୍ଜନ ନୁହେଁ l ହେ ଶଠ ନାଗର,ଆଉ ସେ ଭୁଲା ଭୁଲି କଥା ନ କହି, ଚାଲି ଯାଅ l ଉଚ୍ଛୁର ହେଲେ ସିଆଡ଼େ ପୁଣି ଗଉଡ଼ୁଣୀମାନେ କୋପ କରିବେ l
ଉଠ ଉଠ ମଠ ନ କର ହେ ଶଠ
ନାଗର ମୁକୁଟ ମଣି l
ଉଛୁର ହୋଇଲେ କୋପ କରିବେଟି
ଗୋପପୁର ଗଉଡ଼ୁଣୀ ll
ସେ ଗଉଡ଼ୁଣୀଙ୍କ ଭାବ ମୋ ଠାରେ କାହୁଁ ମିଳିବ l କେତେ ଆଖି ଠରାଠରି କେତେ କଣ୍ଟ କରା କରି l
ଲାଜ ବୋଲି ଯୋଡ଼ିଏ ଅକ୍ଷର ତ ତାଙ୍କ ପାଖରେ ନାହିଁ l କିଏ କହୁଛି ନିଆଁ ଗିଳା l କିଏ ଷଣ୍ଢ ମରା l ପୁଣି କିଏ କହୁଛି ଚଢ଼େଇ ଚିରା, ବସ୍ତ୍ରଚୋର l ସେ ସବୁ କଟୁ ବଚନ ଶୁଣିବା ପାଇଁ ତ ଆପଣ ରସିକ ରତନ ମଣି l
ଗୋପୀଙ୍କ ନିନ୍ଦା ଶୁଣି, ଗୋପୀନାଥ ଆଉ ସମ୍ଭାଳି ପାରିଲେ ନାହିଁ l ମହାକ୍ରୋଧ ହୋଇ କହିଲେ,ରେ ମୁଢ଼ା ତୁ ହିତାହିତ ଜ୍ଞାନ ହରାଇ ବସିଲୁ, ଗୋପିଙ୍କ ନିନ୍ଦା କରି ଜାଣ, ମହା ଅପରାଧରେ ଭାଗୀହେଲୁ l
ଏଇଥିପାଇଁ ତ ତୋତେ ସମସ୍ତେ ଜଗତରେ ବାଇ ଠାକୁରାଣୀ ବୋଲି କହନ୍ତି, ତୋର ମରମ ବଳିଆ ଦାସ ଠିକ ଜାଣିଥିଲା l ତେଣୁ ତ ସେ କାଣି,କୁଜି, କାଲୁଣି ବୋଲି ତୋତେ କହୁଥିଲା l ତୋ ଦାଉ ମୁଁ ବୋଲି ସହିଛି,ଅନ୍ୟ କିଏ ହୋଇଥିଲେ ନାଁ କେଉଁ କାଳରୁ ତିଳକ, ଚିତା, କୋଉପୀନ ମାରି ଯୋଗୀ ହୋଇ ଯାଇ ସାରନ୍ତାଣି l
ବଡ଼ ଭାଇ ବଳରାମ ଛିଡ଼ାହୋଇ ସବୁ ଶୁଣୁଥାନ୍ତି l ସେ ଦେଖିଲେ, କେହି କାହାକୁ କମ୍ ନୁହଁନ୍ତି l ବଡ଼ ଠାକୁର,ଜଗନ୍ନାଥଙ୍କୁ ଗାରଡ଼େଇ ଅନାଇ କହିଲେ, ଆରେ କହ୍ନାଇ,ତୁତ ଜମା ଭଲଲୋକ ନୋହୁଁରେ, କେଡ଼େକେଡ଼େ କୁବଚନ ସବୁ ତୁ ବୋହୂକୁ କହୁଛୁ, ତୋର ଏ ଫୁଲାଫାଙ୍କିଆ ଆଚରଣ କାଳେ କାଳେ ଗଲା ନାହିଁରେ l ଆରେ ଦାଣ୍ଡ,ହାଟ କଥା ସବୁ ମୁଁ ବୁଝୁଛି l କେଉଁଠୁ ଡାଲି ଆସିବ,ତଣ୍ଡୁଳ,ଜାଳ,ଘିଅ ଆଦି ଆସିବ, ସବୁ ମୁଁ ବୁଝୁଛି l ସୁରୁଖୁରୁରେ ଘର ଚଳାଇ ନେଉଛନ୍ତି ବହୁ l ତୁ ତ ସାହୁ ଭଳିଆ ବସି ପେଟେ ପକାଇ ଦେଉଛୁ l କଅଣ ଆଉ ଛୁଆଟିଏ ହୋଇ ରହିଛୁ ତୁ ! ଏସବୁ ଘର ଖଡ଼ବଡ଼ିଆ କଥା ଆଉ ଦିନେ ଯେବେ ମୁଁ କାନରେ ଶୁଣିବି ତୋତେ ନିଶ୍ଚୟ ଭିନ୍ନେ କରିଦେବି l
ଦେଢ଼ଶୁର ତ,ବଡ଼ଠାକୁର ମାଆ ଲକ୍ଷ୍ମୀଙ୍କ ଆଡ଼କୁ ଟିକିଏ ବାଁରେଇ କହିଲେ, ହଉ ମାଆ ! ସବୁ ଏହି କହ୍ନାଇର ଭୁଲ l ସବୁ ହାର ମୋ ଭାଇର ହେଲା l ମାଆ, ତୁମେ ମନରୁ ସବୁ ଅଭିମାନ ତେଜ କର l ବଡ଼ ଠାକୁରଙ୍କ ଶ୍ରୀମୁଖରୁ ଏଭଳି ସନ୍ତୋଷ ବାଣୀ ଶୁଣି ମାତାଙ୍କ ଅଭିମାନ ତୁଟିଗଲା l ଦାସୀମାନଙ୍କୁ ଡାକି ଆଜ୍ଞା ଦେଲେ କବାଟ ଖୋଲି ଦେବା ପାଇଁ l
ଓଢଣୀଟି ଟାଣିଦେଇ ବଡ଼ ସାମନ୍ତଙ୍କୁ ହାତଯୋଡ଼ି କହିଲେ, ଆହା କେତେବେଳୁ ଆପଣ ଛିଡ଼ାହୋଇ ରହିଲେଣି l କେତେ କଷ୍ଟ ହୋଇ ଥିବ, ଆପଣଙ୍କୁ l ଏ ଅପରାଧୀନୀକୁ କ୍ଷମା କରିବେ ପ୍ରଭୁ l
କଳିର ଅନ୍ତଃ ହୋଇଗଲା l ମହାପ୍ରଭୁ ଜଗନ୍ନାଥେ ମାଆ କମଳିନୀଙ୍କୁ ଚାହିଁ ମୃଦୁ ମୃଦୁ ହସି କହିଲେ, ହେ ସୁମୁଖୀ ! ହେ ଚନ୍ଦ୍ରଵଦନୀ ! ନିଅ, ତୁମ୍ଭ ପାଇଁ କେତେ ସବୁ ଉପହାର ଆଣିଛି,ଆଉ ତା ସହ ଏହି ସୁମିଷ୍ଟ ରସଗୋଲା l
ମହାପ୍ରଭୁଙ୍କର ମାନବୀୟ ଲୀଳା ସମାପ୍ତ ହେଲା l ଭକ୍ତଙ୍କ ଘଣ୍ଟ ଘଣ୍ଟା ହରି ବୋଲ ହୁଳହୁଳି ଧ୍ୱନୀରେ ଠାକୁର ମାନେ ହଲି ଝୁଲି, ଧାଡ଼ି ପହଣ୍ଡିରେ ଯାଇ ବିଜେ ହେଲେ ନୀଳାଦ୍ରୀ ମଣ୍ଡପରେ l କବି ଗଊର ଚରଣ ଦାସ, ଘୋଷ ଯାତ୍ରାର ଏହି ଅନ୍ତିମ ପର୍ବକୁ ବର୍ଣ୍ଣନା କରି ଗାଇଲେ :-
ଲକ୍ଷ୍ମୀ ନାରାୟଣ ମିଳନ ହୋଇଲେ
ସର୍ବଜନେ ବୋଲ ହରି l
ନାରାୟଣ ନାମ ସୁମରିଲେ ତୁମ୍ଭେ
ଭବସିନ୍ଧୁଁ ଯିବ ତରି ll
ଲକ୍ଷ୍ମୀ ନାରାୟଣ ଭଜରେ ମାନସ
କ୍ଷେତ୍ରରେ ମିଳିବ ବାସ l
ଲକ୍ଷ୍ମୀ ନାରାୟଣ ଚରଣେ ଶରଣ
ଗଉର ଚରଣ ଦାସ ll
!!! ଜୟ ଜଗନ୍ନାଥ !!!
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ -7693091971