ମୋହ ଯିବାଯାଏ ନନ୍ଦିଘୋଷ ଥିବ ରହି
ମୋହ ଯିବାଯାଏ ନନ୍ଦିଘୋଷ ଥିବ ରହି
(ଭକ୍ତ ସାଲବେଗଙ୍କ କଥା)
==================
ମୋଗଲ ଶାସନ କାଳରେ ପନ୍ଦରଶହ ଶତାବ୍ଦୀର ଶେଷ ଆଡ଼କୁ ଜାହାଙ୍ଗୀର କୁଲି ଖାଁ କଟକଠାରେ ନାଏବ ନିଯୁକ୍ତ ଥିଲେ l ସାହିତ୍ୟରେ ସେ ପରିଚିତ ହୁଅନ୍ତି ଲାଲବେଗ ନାମରେ l ସେ ପିପିଲି ଠାରେ ଅବସ୍ଥାନ କାଳରେ ବୁଲୁ ବୁଲୁ ନିକଟ ଦାଣ୍ଡମୁକୁନ୍ଦ ପୁରରେ ଏକ ପୁଷ୍କରିଣୀରେ ବିଧବା ବ୍ରାହ୍ମଣକନ୍ୟା ଜଣେ ସ୍ନାନ କରୁ ଥିବାର ଦେଖିଲେ l ଲାଲବେଗ ଅତୀବ ସୁନ୍ଦରୀ ବ୍ରାହ୍ମଣୀ କନ୍ୟାଟିକୁ ବଳ ପୂର୍ବକ ଉଠାଇ ଆଣିଲେ l କାଳ କ୍ରମେ ସେହି ବ୍ରାହ୍ମଣୀର ଗର୍ଭରୁ ଜନ୍ମ ହେଲା ପୁଅ ଗୋଟିଏ l ସେହି ପୁଅଟି ପରବର୍ତ୍ତୀ କାଳରେ ପରିଚିତ ହେଲା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅନନ୍ୟ ଭକ୍ତ ସାଲବେଗ ଭାବେ l
ବାଲେଶ୍ୱର ସହରର ମଠ ସାହି ରାଧାକୃଷ୍ଣ ଜୀଉ ମନ୍ଦିରପରିସର ମଧ୍ୟରେ ରହିଛି ଏକ ଐତିହାସିକ ସ୍ମୃତି ବହନ କରୁଥିବା ପୁରାତନ ମଠ l ଏ ମଠଟି ଲଣ୍ଡାଗୋସେଇଁ ବା ଲଣ୍ଡାଗୋସ୍ଵମୀ ମଠ ନାମରେ ପରିଚିତ l ଶ୍ରୀଚୈତନ୍ୟ ନଦିଆରୁ ଶ୍ରୀକ୍ଷେତ୍ରଯାତ୍ରା କାଳରେ ଏହି ମଠରେ ୧୫୦୯ ମସିହାରେ କିଛି ଦିନପାଇଁ ଅବସ୍ଥାନ କରିଥିଲେ l ସବୁଠାରୁ ମହତ୍ୱ ପୂର୍ଣ୍ଣ ଓ ଉଲ୍ଲେଖନୀୟ ଘଟଣା ହେଲା ଯବନକବି ଭକ୍ତ ସାଲବେଗ ଲଣ୍ଡାଗୋସାଇଁ ମଠରେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଥିଲେ l ସାଲବେଗ ତାଙ୍କ ଆତ୍ମ ଜୀବନୀ “ଅରଜ ଗୀତିକା” ରେ ଏହି ମଠ କଥା ଉଲ୍ଲେଖ କରିଛନ୍ତି l
ଇତିହାସ ଓ କିମ୍ବଦନ୍ତୀ ଅନୁଶୀଳନରୁ ଜଣାଯାଏ, ପିତା ମୋ ମୋଗଲ ବେଟା,ମାଆ ମୋ’ ବ୍ରାହ୍ମଣୀ ଭାବରେ ପରିଚୟ ଦେଇଥିବା ସାଲବେଗ କ୍ରମେ ବଡ଼ ହୋଇ ପିତାଙ୍କ ସହିତ ବିଭିନ୍ନ ଯୁଦ୍ଧ କ୍ଷେତ୍ରକୁ ଯାଇ, ଯୁଦ୍ଧରେ ଭାଗ ନେଉ ଥିଲେ l ଏକଦା ସେ ବାଲେଶ୍ୱର ମୋଗଲବନ୍ଦୀ ଅଞ୍ଚଳ ତଥା ଗଡ଼ଜାତ ମୟୁରଭଞ୍ଜ ସୀମାନ୍ତରେ କଳମା ଠାରେ ଯୁଦ୍ଧରେ ଗୁରୁତରଭାବେ ଆହତ ହେଲେ l ତାଙ୍କ ଦେହରେ ଏକୋଇଶିଟି ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରଚୁର ରକ୍ତସ୍ରାବ ହେଉଥାଏ l ବଞ୍ଚିବାର ଆଶା ନ ଥାଏ l ଯୁଦ୍ଧକ୍ଷେତ୍ରରୁ ମୁମୂର୍ଷୁ ସାଲବେଗଙ୍କୁ ବାଉଁଶ ସଙ୍ଗାରେ ଅଣାଗଲା ବାଲେଶ୍ୱର l ଯେଉଁ ସ୍ଥାନରୁ ତାଙ୍କୁ ବାଉଁଶ ସଙ୍ଗାରେ ଅଣା ଗଲା l ସେ ସ୍ଥାନର ନାମ କ୍ରମେ ବୈଶିଙ୍ଗା ହେଲା l ତାହା, ଏବେକାର ମୟୁରଭଞ୍ଜ ଜିଲ୍ଲାର ବଇଶିଙ୍ଗା l ଗୁରୁତର ଆହତ ସାଲବେଗଙ୍କୁ ପ୍ରଥମେ, ବାଲେଶ୍ୱର ବାଗବୃନ୍ଦାବନ ଆଶ୍ରମକୁ ଅଣାଗଲା l ବାଗବୃନ୍ଦାବନ ଆଶ୍ରମ ଶ୍ରୀ ବୃନ୍ଦାବନ ସନ୍ନ୍ୟାସୀଙ୍କ ଦ୍ୱାରା ପରି ଚାଳିତ ହେଉ ଥିଲା l ପୁଅ ଆହତ ଖବର ପାଇ କଟକରୁ ତାଙ୍କ ମାଆ ଆସି ପହଞ୍ଚିବା ପରେ ତାଙ୍କୁ ମଠସାହି ସ୍ଥିତ ଲଣ୍ଡା ଗୋସେଇଁ ମଠକୁ ନିଆଗଲା l ଗୋସାଇଁଙ୍କ ନିର୍ଦ୍ଦେଶ କ୍ରମେ ମଠରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସାମ୍ନାରେ ତାଙ୍କୁ ଶୁଆଇ ଦିଆଗଲା l ଶ୍ରୀବୃନ୍ଦାବନ ଚନ୍ଦ୍ରଙ୍କ କୃପାରୁ ସେ ଆରୋଗ୍ୟ ହେଲେ l ଆହୁରି
ମଧ୍ୟ ଶୁଣାଯାଏ ଯେ ସେ ମାତାଙ୍କ କଥାରେ ଲଣ୍ଡା ଗୋସେଇଁ ମଠରେ କୃଷ୍ଣନାମ ଜପକରି ତିନି ଦିନ ତିନିରାତି ପରେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଥିଲେ l ଗଭୀରରାତ୍ରିରେ ସ୍ୱୟଂ ଶ୍ରୀକୃଷ୍ଣ ଆସି ତାଙ୍କ ଦେହ ଉପରେ ତିନିଥର ହାତ ବୁଲାଇ ଦେବାରୁ ତାଙ୍କର ସମସ୍ତ ପୀଡ଼ା,ଯନ୍ତ୍ରଣା ଚାଲି ଯାଇ କ୍ଷତ ସବୁ ଶୁଖି ଯାଇଥିଲା l ଆରୋଗ୍ୟ ହୋଇ ସାଲବେଗ କଟକ ଯାଇ ବାପା ଲାଲବେଗଙ୍କ ଲାଲବାଗ କୋଠିରେ ରହିଲେ l ପରେ ବଙ୍ଗଳାର ଏକ ଯୁଦ୍ଧ କ୍ଷେତ୍ରରେ ପିତା ଲାଲବେଗ ନିହତ ହେଲେ l ପିତାଙ୍କ ମୃତ୍ୟୁ ପରେ, ସାଲବେଗ ଓ ତାଙ୍କ ମାଆଙ୍କୁ ଲାଲବାଗ କୋଠିରୁ ତଡ଼ି ଦିଆଗଲା l ସେଠାରୁ ସାଲବେଗ ମାଆଙ୍କ ସହ ଶ୍ରୀକ୍ଷେତ୍ର ଚାଲିଗଲେ l ସାଲବେଗ ଦିନେ ଯାଇ ପହଞ୍ଚିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ l ଯବନ ହୋଇଥିବାରୁ ସେଠାରେ ପଣ୍ଡାମାନେ ତାଙ୍କୁ ବହୁ ତିରସ୍କାର କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରାଇ ଦେଲେ ନାହିଁ l ଏହି କ୍ଷୋଭ ତାଙ୍କର ରଚନାରେ ଦେଖିବାକୁ ମିଳେ :-
ପିତା ମୋ ମୋଗଲବେଟା ମାଆ ମୋ ବ୍ରାହ୍ମଣୀ l
ଏ କୁଳେ ଜନ୍ମିଲି ହିନ୍ଦୁ ନ ଖାଏ ମୋ ପାଣି ll
ତେଣୁ ସେ ପୁଣି ୧୬୦୮ ମସିହାରେ ମାଆଙ୍କ ସହ ବାଲେଶ୍ୱର ଚାଲି ଆସିଲେ l ବାଲେଶ୍ୱରରେ ପୂର୍ବ ପଟେ ଥିବା ଦାମୋଦର ପୁରରେ ବିଜେଥିବା ଶ୍ରୀ ଶ୍ୟାମସୁନ୍ଦର ଜୀଉଙ୍କ ମନ୍ଦିରରେ ଯାଇ ସେ ପ୍ରତି ଦିନ ଠାକୁରଙ୍କୁ ଦର୍ଶନ କରୁ ଥିଲେ l ଶ୍ୟାମସୁନ୍ଦର ଜୀଉ ମନ୍ଦିରର ପୂଜକ ଲୁଚାଇକରି ସାଲବେଗଙ୍କୁ ଶ୍ୟାମସୁନ୍ଦରଙ୍କ ଚରଣାମୃତ ଦେଉ ଥିଲେ l ଦିନେ ପୂଜକ ନଥିବାରୁ ନିଜେ ଠାକୁର ତାଙ୍କୁ ଚରଣାମୃତ ବଢ଼ାଇ ଦେଇଥିଲେ ବୋଲି ଲୋକ କଥା ରହିଛି l ସାଲବେଗ କୃତଜ୍ଞତା ସହକାରେ ସେଦିନ ପ୍ରଭୁଙ୍କୁ ଗୋଟିଏ ସୁନା ମୋହର ଦେଇ ଥିଲେ l ପର ଦିନ ଠାକୁରଙ୍କ ପାଟ ଲୁଗା ତଳୁ ସେ ସୁନା ମୋହରକୁ ପୂଜକ ପାଇଥିଲେ l ସାଲବେଗ ଶ୍ୟାମ ସୁନ୍ଦରଙ୍କୁ ଦର୍ଶନ କରିବା ପାଇଁ, ମନ୍ଦିର କାନ୍ଥରେ ଏକ ଛିଦ୍ର କରା ଯାଇଥିଲା l ସେ ଛିଦ୍ର ଏବେମଧ୍ୟ ବିଦ୍ୟମାନ ଥିବା ଶୁଣା ଯାଏ l ଶ୍ୟାମସୁନ୍ଦର ମନ୍ଦିରରେ ଭକ୍ତ ସାଲବେଗ ଏବଂ ତାଙ୍କର ମାଆ ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇ ଥିଲେ ବୋଲି କିମ୍ବଦନ୍ତୀ ରହିଛି l ସେ ୧୬୦୮ ମସିହାରୁ ୧୬୧୫ ମସିହା ପର୍ଯ୍ୟନ୍ତ ଦୀର୍ଘ ଆଠବର୍ଷ ବାଲେଶ୍ୱରରେ ବାସ କରିଥିଲେ l ସେହିଠାରେ ସେ ପ୍ରଭୁ ଶ୍ରୀବୃନ୍ଦାବନଚନ୍ଦ୍ରଙ୍କ ଦର୍ଶନ ଅଭିଳାଷୀ ହୋଇ, ମାତାଙ୍କ ସହ ବୃନ୍ଦାବନ ଯାତ୍ରା କରିଥିଲେ l ସେହି ଅଭିଳାଷକୁ ସେ ତାଙ୍କ ରଚନା ମାଧ୍ୟମରେ ବ୍ୟକ୍ତ କରିଥିଲେ :-
“ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ,
ଦର୍ଶନ କରିବି ଯାଇ ଶ୍ରୀ ମଧୁସୂଦନ ”
କିଛିକାଳ ବୃନ୍ଦାବନରେ କଟାଇ ସେ ଫେରି ଆସୁ ଥାନ୍ତି ପୁରୀକୁ l ବହୁ ପଥ ବାକି ଅଛି ଶ୍ରୀକ୍ଷେତ୍ରରେ ପହଞ୍ଚିବା ପାଇଁ l ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା ଅତି ନିକଟରେ,ମନରେ ପ୍ରବଳ ଆକାଂକ୍ଷା ରଥଉପରେ କଳା ବାମନଙ୍କୁ ଦର୍ଶନ କରିବେ l ମାତ୍ର କୌଣସି ଉପାୟ ନାହିଁ ଏତେଦୁର ପଥ ଅତିକ୍ରମକରି ଯାଇ ଶ୍ରୀକ୍ଷେତ୍ରରେ ପହଞ୍ଚିବାପାଇଁ l ସେହିଠାରେ ଥାଇ ଡାକଦେଲେ :-
ସାତଶ ପଞ୍ଚାଶ କୋଶ ଚାଲି ନ ପାରଇ l
ମୋହ ଯିବାଯାଏ ନନ୍ଦିଘୋଷ ଥିବ ରହି ll
ସିଏ ପରା ଭକ୍ତବତ୍ସଳ ଭାବଗ୍ରାହୀ,ଭକ୍ତର ଆକୁଳ ନିବେଦନ ବା ନଶୁଣି ଥାନ୍ତେ କିପରି ! ନନ୍ଦିଘୋଷ ରଥ ବଳଗଣ୍ଡି ଠାରେ ଅଟକି ରହିଲା l ସମସ୍ତଙ୍କ ସବୁ ପ୍ରୟାସ ବିଫଳ ହେଲା l ଅଚଳ ମହାମେରୁ ସେହିଠାରେ ପଡ଼ି ରହିଲେ ପନ୍ଦର ଦିନ l
ଗୁଣ୍ଡିଚାଯାତ୍ରା ଯାଇ ବାହୁଡ଼ା ଯାଇସାରିଲାଣି ଭକ୍ତ ସାଲବେଗ ଆସି ପହଞ୍ଚି ଦେଖନ୍ତି ତ ବଡ଼ଦାଣ୍ଡରେ ମହାପ୍ରଭୁ ନନ୍ଦିଘୋଷରେ ବସି ରହିଛନ୍ତି l ସିଏ ତ ନିଜେ ଲେଖିଛନ୍ତି,’ଭକତ ତୋ ମାତାପିତା,ଭକତ ତୋ ବନ୍ଧୁ’l ତାଙ୍କ ଆଖିରୁ ଝରି ପଡ଼ିଲା ଦୁଇବୁନ୍ଦା ପ୍ରେମାଶ୍ରୁ l କାନ୍ଦି କାନ୍ଦି କହିଲେ, ହେ ମହାପ୍ରଭୁ ! ଆପଣ ଏ ହୀନପାଇଁ କେତେ କଷ୍ଟ ସହି ଦାଣ୍ଡରେ ପଡ଼ି ରହିଛନ୍ତି ! ସମସ୍ତେ ବୁଝିଗଲେ ଏଥର ପ୍ରଭୁ ଭାବଗ୍ରାହୀଙ୍କ ଲୀଳା l ଆଉ କାହାରିକୁ ବୁଝିବାକୁ ବାକି ରହିଲାନାହିଁ ମହାପ୍ରଭୁ କାହାପାଇଁ ଅପେକ୍ଷା କରିଥିଲେ l ନୟନପୁରାଇ ଦର୍ଶନ କରୁଥାନ୍ତି ଭକ୍ତ ସାଲବେଗ ମହାପ୍ରଭୁଙ୍କୁ l ଭକ୍ତଗଣଙ୍କ ହରିବୋଲ ଧ୍ୱନୀରେ ରଥ ଟଣା ହେଲା l ଅଚଳ ରଥ,ପବନ ବେଗରେ ଘର୍ଘର ଘୋଷ କରି ଗତିକଲା l
ଏହାପରେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଭକ୍ତ ସାଲବେଗ ଶ୍ରୀକ୍ଷେତ୍ରରେ ବାସ କରି ମହାପ୍ରଭୁଙ୍କ ଚରଣ କମଳକୁ ଧ୍ୟାନ କରି ପ୍ରାଣ ତ୍ୟାଗ କଲେ l ସାଲବେଗ ପ୍ରାଣସ୍ପର୍ଶୀ ଭାଷାରେ ଲେଖି ଯାଇଛନ୍ତି ଅସୁମାରୀ ଭକ୍ତି ସଙ୍ଗୀତ l ତାଙ୍କ ରଚିତ ଜଣାଣ, “ଆହେ ନୀଳଶଇଳ” ସବୁରି ମୁଖରେ ପରିଚିତ l
ପରେ ଭକ୍ତ ସାଲବେଗଙ୍କ ମା’ଙ୍କର ମୃତ୍ୟୁ ହେଲାl ଶ୍ରୀମନ୍ଦିରରୁ ବୈଷ୍ଣବାଗ୍ନି ଆଣି ସ୍ବର୍ଗଦ୍ୱାରରେ ତାଙ୍କ ଅନ୍ତିମ ସଂସ୍କାର କଲେ, ସାଲବେଗ l ଶୁଣା ଯାଏ ଘୋଷ ଯାତ୍ରା ବେଳେ ରଥାରୁଢ଼ ବାମନଙ୍କୁ ଦର୍ଶନ କରି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଯବନକବି ଭକ୍ତ ସାଲବେଗ l ତାଙ୍କୁ ସମାଧି ଦିଆ ଯାଇଥିଲା
ବଳଗଣ୍ଡି ଠାରେ l ଭକ୍ତ ପ୍ରବରଙ୍କ ସମାଧି ମନ୍ଦିର ଏବେ ବିରାଜ ମାନ କରୁଛି ବଡ଼ ଦାଣ୍ଡରେ l ଭକ୍ତ ସାଲବେଗ ନିଜେ ହେଉଛନ୍ତି ଇତିହାସ l ସେଭଳି ଭକ୍ତଙ୍କ ସମ୍ବନ୍ଧରେ ଯେତେ ଲେଖିଲେ ବି ଆହୁରି ବହୁ କଥା ଅକୁହା ରହିଯିବ l
ସପ୍ତଦଶ ଶତାବ୍ଦୀରେ ଲେଖାଯାଇଥିବା ଦାଢ଼୍ୟତା ଭକ୍ତି ଦ୍ୱିତୀୟ ଭାଗରେ କବି ରାମଦାସ ଲେଖିଛନ୍ତି ଯବନ କବି, ସାଲବେଗଙ୍କ କଥା l ସାଲବେଗଙ୍କ ମାଆ ବାଲ୍ୟବିଧବା ବ୍ରାହ୍ମଣୀ l ଏହି ବାଲ୍ୟବିଧବା ବାପା ଥିଲେ ସଦାଶିବ ରଥ ଏବଂ ମା’ ସୁଲକ୍ଷଣା ଦେବୀ l ଏହି ଭକ୍ତି ରଚନାକୁ ଭିତ୍ତି କରି, ଉଦ୍ଧାର ହୋଇଛି ଭକ୍ତ ସାଲବେଗଙ୍କ ଇତିହାସ l
ଧନ୍ୟ ମହାପ୍ରଭୁ ଆପଣଙ୍କର ଭକ୍ତ ବତ୍ସଳ ଲୀଳା l ଧନ୍ୟ ତୁମେ ମହାପ୍ରଭୁ,ଧନ୍ୟ ତୁମର ସେ ପ୍ରଣମ୍ୟ ଭକ୍ତପ୍ରବର ସାଲବେଗ l ଦାଢ୍ୟତାଭକ୍ତି ଭାଷାରେ,
ସାଧୁ ଜନଙ୍କ ପାଦଧୂଳି l
ମଣ୍ଡନ ହେଉ ମୋ ମଉଳି ll
!!! ଜୟ ଜଗନ୍ନାଥ !!!
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ -7693091971