ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦାର ଆନୁକୂଳ୍ୟରେ ରଥଯାତ୍ରା ଅନୁଷ୍ଠିତ

0

ବରୋଦା, ତାରିଖ: ୧୭.୦୭.୨୦୨୬ : ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦାର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପର୍ବ ପାଳନ କରାଯାଇଛି। ବରୋଦା ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ସମଗ୍ର ଧନୋରା ଇଲାକା ଜଗନ୍ନାଥମୟ ହୋଇଉଠିଥିବା ଦେଖାଯାଇଥିଲା। ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପୁରା ପରିବେଶ ମୁଖରିତ ହେବା ସଙ୍ଗକୁ ମନ୍ତ୍ରର ସୁମଧୁର ନାଦରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିବା ଲକ୍ଷ୍ୟ କରାଯାଇଥିଲା। ବଢ଼ି ଭୋରରୁ ମନ୍ଦିର ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସାମ୍ନାରେ ମଙ୍ଗଳ ଆଳତି ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଦୁଇପହରରେ ଚାରି ଠାକୁରଙ୍କୁ ଧାଡ଼ି ପହଣ୍ଡି କରାଯାଇ ମନ୍ଦିର ସାମ୍ନାରେ ଦଣ୍ଡାୟମାନ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ରାଜକୀୟ ଠାଣିରେ କୋଟି ବ୍ରହ୍ମାଣ୍ଡର ମହାନାୟକ ଶ୍ରୀ ଜଗନ୍ନାଥ, ତାଙ୍କର ଜ୍ୟେଷ୍ଠ ଭ୍ରାତା ଶ୍ରୀ ବଳଭଦ୍ର, କନିଷ୍ଠ ଭଗ୍ନୀ ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କର ରଥାରୂଢ଼ ହେବାର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା। ଏହା ଭକ୍ତ ଓ ଭଗବାନଙ୍କର ମିଳନର ଅନନ୍ୟ ଓ ଅପୂର୍ବ ସୁଯୋଗ ଥିଲା। ନୀତି ଆୟୋଗର ଡାଇରକ୍ଟର ଡ଼ ଆଶିଷ ଦାସ ଛେରାପହଁରା କାର୍ଯ୍ୟ ସମାପନ କରିଥିଲେ। ସନ୍ଧ୍ୟା ପ୍ରାୟ ୫ଟାରେ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ୭ଟା ସୁଦ୍ଧା ସଫଳତାର ସହ ସମାପ୍ତ ହୋଇଥିଲା। ରଥ ଧନୋରା ଗ୍ରାମରେ ପହଞ୍ଚିବା ପରେ ପୁନର୍ବାର ଆରତୀ କରାଯାଇ ମହାପ୍ରଭୁଙ୍କୁ ସେଠାରେ ଅଧିଷ୍ଠିତ କରାଯାଇଥିଲା। । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଉପସ୍ଥିତ ଦଶହଜାର ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁ ଯେଉଁ ଅସୀମ ଉତ୍ସାହ, ଅଜସ୍ର ଉଲ୍ଲାସ ଓ ଅଦମ୍ୟ ଉଦ୍ଦୀପନା ସହିତ ରଥଟିକୁ ଟାଣି ଟାଣି ନେଉଥିଲେ, ତାହାର ଦୃଶ୍ୟ ଅଭୂତପୂର୍ବ ଥିଲା । ସୌହାର୍ଦ୍ଦ୍ୟ ଓ ସଦ୍ଭାବନାର ଏହା ଏକ ନିଆରା ଦୃଷ୍ଟାନ୍ତ ବନିଥିଲା।

ଏହି ପବିତ୍ର ରଥଯାତ୍ରାରେ ୧୨୦୦ରୁ ଅଧିକ ଶ୍ରୀଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁ ଯୋଗଦାନ କରି ଭକ୍ତି, ଭଜନ, କୀର୍ତ୍ତନ ଓ ବିଭିନ୍ନ ସାଂସ୍କୃତିକ ପରିବେଷଣ ମଧ୍ୟରେ ପ୍ରଭୁଙ୍କ ରଥ ଟାଣିବାର ସୌଭାଗ୍ୟ ଲାଭ କରିଥିଲେ। ବରୋଦା ସହର ସମେତ ଆଖପାଖର ୧୦–୧୨ଟି ଗ୍ରାମର ଭକ୍ତବୃନ୍ଦ ଏହି ଦିବ୍ୟ ମହୋତ୍ସବରେ ସାମିଲ ହୋଇ ପ୍ରଭୁଙ୍କ କୃପା ଓ ସାନ୍ନିଧ୍ୟ ଲାଭ କରିଥିଲେ।
ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ସେବନର ସୁଚାରୁ ବ୍ୟବସ୍ଥା କରାଯାଇଥିଲା। ଭକ୍ତମାନେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି ଧନୋରାର ଏହି ପବିତ୍ର ଭୂମିରେ ଶୀଘ୍ର ଶ୍ରୀଜୀଉଙ୍କ ସ୍ଥାୟୀ ମନ୍ଦିର ପ୍ରତିଷ୍ଠା ହୋଇ ସେଠାରେ ପ୍ରଭୁଙ୍କ ନିତ୍ୟଲୀଳା ପ୍ରକାଶିତ ହେଉ ବୋଲି ବିନମ୍ର ପ୍ରାର୍ଥନା କରିଥିଲେ।
ବିଶେଷକରି ବରୋଦାସ୍ଥିତ ପ୍ରବାସୀ ଓଡ଼ିଆମାନେ ଏହି ଦ୍ୱାରକା ଭୂମିରେ ଓଡ଼ିଶାର ରଥଯାତ୍ରାର ଧାର୍ମିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାର ଏକ ଅପୂର୍ବ ଅନୁଭୂତି ଲାଭ କରିଥିଲେ।
ଏହି ସଫଳ ଆୟୋଜନ ପଛରେ ସମାଜର ପୁରୁଖା ସଦସ୍ୟ, ଟ୍ରଷ୍ଟର କର୍ମକର୍ତ୍ତା, ସମସ୍ତ ସଭ୍ୟ–ସଭ୍ୟା, ସ୍ୱେଚ୍ଛାସେବୀ, ଦାତା, ପୁଲିସ ପ୍ରଶାସନ ଓ ସମସ୍ତ ଶ୍ରଦ୍ଧାଳୁଙ୍କ ନିଷ୍ଠା, ପରିଶ୍ରମ ଏବଂ ଆନ୍ତରିକ ଭକ୍ତିଭାବ ରହିଛି। ଏହା ନିଶ୍ଚିତ ଭାବେ ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅସୀମ କୃପା ଓ ଆଶୀର୍ବାଦର ପରିଣାମ।
ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା ସମସ୍ତଙ୍କୁ କୋଟି କୋଟି ପ୍ରଣାମ ଜଣାଇ ଆହ୍ୱାନ କରୁଛି ଯେ, ଆଗାମୀ ଦିନରେ ମଧ୍ୟ ଏଭଳି ଧାର୍ମିକ ଓ ସାଂସ୍କୃତିକ ମହୋତ୍ସବରେ ସକ୍ରିୟ ଭାବେ ସାମିଲ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ଓ ଓଡ଼ିଆ ସଂସ୍କୃତିର ଗୌରବକୁ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ ପ୍ରତିଷ୍ଠିତ କରିବାରେ ସହଯୋଗୀ ହୁଅନ୍ତୁ।
ଧନ୍ୟବାଦ ସହ,
ଟିମ୍
ଉତ୍କଳିକା ଓଡ଼ିଶା ସେବା ଟ୍ରଷ୍ଟ, ବରୋଦା
(ଦୀର୍ଘ ୪୫ ବର୍ଷର ସଫଳ ସାମାଜିକ, ସାଂସ୍କୃତିକ ଓ ସେବା ଯାତ୍ରା)

Leave A Reply

Your email address will not be published.