ମହାରାଷ୍ଟ୍ରର ଚନ୍ଦ୍ରଭାଗା ନଦୀକୂଳରେ ଏକ ସ୍ଥାନ ଥିଲା ଦାଣ୍ଡିରବନ। ଏହି ଠାରେ ରହୁଥିଲେ ଜଣେ ଗରିବ ବ୍ରାହ୍ମଣ, ଜାନୁଦେବ। ତାଙ୍କ ପତ୍ନୀଙ୍କ ନାମ ସତ୍ୟବତୀ। ଉଭୟେ ଥିଲେ ଭଗବାନ ଶ୍ରୀକୃଷ୍ଣଙ୍କ ପରମ ଭକ୍ତ। କାଳକ୍ରମେ ତାଙ୍କର ଏକ ପୁଅ ଜନ୍ମ ହେଲା। ବ୍ରାହ୍ମଣ ପୁଅର ନାମ ରଖିଲେ ପୁଣ୍ଡଳିକ। ପୁଣ୍ଡଳିକ ମଧ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ଜଣେ ପରମ ଭକ୍ତ ଥିଲା। ତତ୍ ସହିତ ସେ ପିତା ମାତାଙ୍କୁ ଖୁବ୍ ଭକ୍ତି କରୁଥିଲେ ଓ ତାଙ୍କ ସେବାକୁ ନିଜର ପରମ ଧର୍ମ ବୋଲି ଗ୍ରହଣ କରି ନେଇଥିଲେ।
କ୍ରମେ, ପୁଣ୍ଡଳିକ ଯୁବାବସ୍ଥାରେ ପହଞ୍ଚିଵାରୁ ପିତା ମାତା ତାର ଵିଵାହ କରି ଦେଲେ। ଵିଵାହ ପରେ କିନ୍ତୁ ପୁଣ୍ଡଳିକର ମତିଗତିରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆସିଗଲା। ସେ ଆଉ ଆଗଭଳି ପିତା ମାତାଙ୍କର ଆଦର କଲା ନାହିଁ। ସେବା ପରିବର୍ତ୍ତେ ସେ ତାଙ୍କୁ ନାନା ଭାବେ ହଇରାଣ କରିବାକୁ ଲାଗିଲା। ଭଲ କରି ମୁଠେ ଖାଇବାକୁ ମଧ୍ୟ ଦେଲାନାହିଁ। କୁସଂଗ କରି ଭକ୍ତି, ପୂଜା, ଧ୍ୟାନ, ସବୁ ଛାଡ଼ି ଦେଲା। ପତ୍ନୀ କଥାରେ ପିତା ମାତାଙ୍କୁ ନାନା କଷ୍ଟ ଦେଲା।
ପୁତ୍ରର ଅତ୍ୟାଚାରରେ ଅତିଷ୍ଟ ହୋଇ ତା’ର ପିତା ମାତା ଦିନେ ପ୍ରଭୁ ବିଶ୍ୱନାଥଙ୍କ ଦର୍ଶନପାଇଁ କାଶୀ ଯିବାପାଇଁ ବାହାରିଲେ। ଏହା ଶୁଣି ପୁଣ୍ଡଳିକ ମଧ୍ୟ ବହାରି ପଡ଼ିଲା ତାଙ୍କ ସହ ଯିବାପାଇଁ। ପୁଅ ତାଙ୍କ ସହ ଯିବ ଏଣୁ ତାର ପିତାମାତା ଖୁବ୍ ଖୁସି ହୋଇ ଗଲେ । ମାତ୍ର ପର ମୁହୂର୍ତ୍ତରେ ସେମାନେ ଯେତେ ବେଳେ ଜାଣିଲେ ଯେ, ପୁଣ୍ଡଳିକ ତା ପତ୍ନୀ ସହିତ ଘୋଡ଼ାରେ ଯିବ ଓ ସେମାନେ ଚାଲି ଚାଲି ଯିବେ ତାଙ୍କ ଆନନ୍ଦ କ୍ଷଣିକମଧ୍ୟରେ ପାଣି ଫୋଟକାରେ ମିଳେଇ ଗଲା। ଯାହା ହେଉ ଏହିପରି ସେମାନେ କାଶୀ ଚାଲିଲେ ବିଶ୍ୱନାଥଙ୍କ ଦର୍ଶନ ପାଇଁ।
ସେତେବେଳେ ଦୂର ଦୁରାନ୍ତ ଯାତ୍ରା ବେଳେ ତୀର୍ଥ ଯାତ୍ରୀ ମାନେ ରାସ୍ତାରେ ପଡୁଥିବା, ମଠ, ସରାଇ ଘର, ମନ୍ଦିର ବା ଆଶ୍ରମରେ ବିଶ୍ରାମ ନେଉଥିଲେ। ସେହି ପରି ଦିନେ ସନ୍ଧ୍ୟାରେ ପୁଣ୍ଡଳିକ ରାସ୍ତାରେ କୁକ୍କୁଟ ମୁନିଙ୍କ ଆଶ୍ରମରେ ବିଶ୍ରାମ ନେଲା। ତାର ପିତାମାତା ଚାଲିଚାଲି ପଛରେ ଆସୁଥାନ୍ତି।
ସେଦିନ ରାତିରେ ପୁଣ୍ଡଳିକ ଆଶ୍ରମରେ ଗୋଟିଏ ଅଦ୍ଭୁତ ଦୃଶ୍ୟ ଦେଖି, ଚମକି ପଡ଼ିଲା। ଏହା ସ୍ୱପ୍ନ ନା ସତ୍ୟ ସେ କିଛି ଜାଣି ପାରିଲାନାହିଁ। ସେଦିନ ସେ ଦେଖିଲା ରାତିରେ କୁଆଡୁ ତିନିଜଣ ସୁନ୍ଦରୀ ଯୁବତୀ ଆସିଲେ। ମୁନିଙ୍କ ଆଶ୍ରମକୁ ଭଲ ଭାବେ ଝାଡ଼ୁ କଲେ, ଲିପାପୋଛା କଲେ ଓ ସୁନ୍ଦର କରି ଆଶ୍ରମକୁ ପରିଷ୍କାର କରି ଚାଲିଗଲେ। ସେମାନେ ଆସିଲା ବେଳେ ମଳିନବସ୍ତ୍ର ପରିଧାନ କରି ଆସି ଥିଲେ। ଗଲା ବେଳେ ସୁନ୍ଦର ପରିଷ୍କାର ଶୁଭ୍ରବସ୍ତ୍ର ପିନ୍ଧି ଚାଲିଗଲେ।
ପର ଦିନ ପୁଣ୍ଡଳିକ ମଧ୍ୟ ସେହି କଥା ଦେଖିବାକୁ ପାଇଲା। ଏଥର, ପୁଣ୍ଡଳିକ ଆଉ ନିଜକୁ ସମ୍ଭାଳି ପାରିଲାନାହିଁ। ସେ ଏହାର ରହସ୍ୟ କଣ ଜାଣିବା ପାଇଁ ସେହି ଯୁବତୀଙ୍କ ପାଖକୁ ଯାଇ, ପଚାରିଲା, ତୁମେମାନେ କିଏ? ଏଠାକୁ କେଉଁଥିପାଇଁ କଅଣ କରିବାପାଇଁ ଆସୁଛ? ପୁଣ୍ଡଳିକଙ୍କ ପ୍ରଶ୍ନରେ ସେହି ଯୁବତୀମାନେ କହିଲେ, ଆମେ ତିନିଜଣ ହେଉଛୁଁ ପବିତ୍ର ନଦୀ, ଗଙ୍ଗା, ଯମୁନା ଓ ସରସ୍ୱତୀ। ଵୃଦ୍ଧ ମୁନିଙ୍କ ସେବାପାଇଁ ଏହି ଆଶ୍ରମକୁ ପ୍ରତ୍ୟହ ଆସୁ। କିନ୍ତୁ ଆମେ ଦେଖୁଛୁ, ତୁମେ ଜଣେ ବଡ଼ ପାପୀ । ତୁମେ ତୁମର ବୃଦ୍ଧ ପିତା ମାତାଙ୍କ ସେବା ତ କରୁ ନାହଁ ଓଲଟି ତାଙ୍କୁ ନାନା କଷଣଦେଉଛ। ଏପରି କହି ଗଙ୍ଗା, ଯମୁନା, ସରସ୍ୱତୀ, ତିନିଜଣ ଦେବୀ କୁଆଡ଼େ ଉଭାନ ହୋଇଗଲେ।
ଏଥର ପୁଣ୍ଡଳିକର ଜ୍ଞାନ ଉଦୟହେଲା। ସେ ବଡ଼ ଦୋଷୀ ବୋଲି ନିଜକୁ ମନେକଲା। ସେବେଠାରୁ ସେ ପ୍ରତିଜ୍ଞା କଲା, ଯାହା ହୋଇ ଯାଇଛି ତାହାର ପୁର୍ଣ୍ଣଛେଦ ଏଇଠି ପକାଇ ମୁଁ ଏବେ ମୋର ମାତା ପିତାଙ୍କ ସେବାରେ ବ୍ରତୀ ହେବି।
କାଶିରୁ ଫେରିଆସିଲା ପରେ ସେ ଆଉ କୌଣସି ଅଣହେଳା ନକରି ପିତାମାତାଙ୍କ ସେବାରେ ଲାଗି ପଡ଼ିଲା। ପିତା ମାତା ହେଲେ, ଜୀବନ୍ତ ଦେବତା। ତାଙ୍କ ସେବା କଲେ ଭଗବାନ ପ୍ରୀତ ହୋଇଥାନ୍ତି। ତେଣୁ କୁହାଯାଇଛି, ପିତା, ମାତା ପରି ଆଉ କେ ଅଛି ସଂସାରେ, ଧନ୍ୟ ସେଯେ ଦିଏ ପ୍ରାଣ ତାଙ୍କରି ସେବାରେ l
ପୁଣ୍ଡଳିକ କ୍ଷେତ୍ରରେ ତାହାହିଁ ହେଲା। ପୁଣ୍ଡଳିକର ନିଷ୍ଠାପୂର୍ଣ୍ଣ ପିତୃମାତୃ ସେବାରେ ଖୁବ୍ ପ୍ରୀତହୋଇ, ଦିନେ ଭଗବାନ୍ ଶ୍ରୀକୃଷ୍ଣ ତା’ ଭକ୍ତିନିଷ୍ଠା ପରୀକ୍ଷା ପାଇଁ ଆସି ତା’ ନିକଟରେ ପହଞ୍ଚିଲେ। ବର୍ଷାଦିନ ଭଗବାନ ଏକ କର୍ଦ୍ଦମାକ୍ତ ସ୍ଥାନରେ ଛିଡ଼ା ହୋଇ ପୁଣ୍ଡଳିକକୁ ଡାକିଲେ। ମାତ୍ର ସେ ସେତେବେଳେ ତାର ଵୃଦ୍ଧ ପିତା ମାତାଙ୍କ ସେବାରେ ଏତେ ମଜ୍ଜି ଯାଇଥାଏ ଯେ କିଏ ଡାକୁଛନ୍ତି ସେ ଆଡ଼କୁ ଧ୍ୟାନ ନଦେଇ, ଖଣ୍ଡେ ଇଟା ତାଙ୍କ ଆଡ଼କୁ ଫିଙ୍ଗିଦେଇ କହିଲା, ତୁମେ ତାହାରି ଉପରେ ଅପେକ୍ଷା କର। ପିତାମାତାଙ୍କ ସେବା ସରିଲେ ଯାଇ ମୁଁ ତୁମସହ କଥା ହେବି । ଭକ୍ତର କଥାରେ ଭଗବାନ୍ ସେହି ଇଟା ଖଣ୍ଡଟି ଉପରେ ଛିଡ଼ାହୋଇ ଅପେକ୍ଷା କରି ରହିଲେ। ପରେ ମାଆ ରୁକ୍ମିଣୀ ମଧ୍ୟ ଭଗବାନଙ୍କୁ ଖୋଜି ଖୋଜି ଆସି ସେହିଠାରେ ପହଞ୍ଚି ଗଲେ। ପିତାମାତାଙ୍କ ସେବାସାରି ପୁଣ୍ଡଳିକ ଆସି ଦେଖେ ତ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମାଆ ରୁକ୍ମିଣୀଙ୍କ ସହ ଦଣ୍ଡାୟମାନ ହୋଇଛନ୍ତି। ଭକ୍ତି ଗଦଗଦ ଚିତ୍ତରେ ପୁଣ୍ଡଳିକ ଭଗବାନଙ୍କ ପାଦ ତଳେ ଲୋଟି ଗଲା। ହସି ହସି ଭଗବାନ୍ କହିଲେ, ତୁମର ପିତୃ ମାତୃ ଭକ୍ତିରେ ମୁଁ ଅତୀବ ପ୍ରୀତହୋଇଛି, ତୁମେ କଅଣ ବର ମାଗିବ ମାଗ। ପୁଣ୍ଡଳିକ କାନ୍ଦ କାନ୍ଦ ହୋଇ କହିଲା,ହେ ପ୍ରଭୁ ! ଏ ଅଧମକୁ ଆପଣଙ୍କ ଏତେ ଦୟା। ଆପଣଙ୍କୁ ଆଉ କିବର ମାଗିବି। ମୋତେ ଏତିକି ଅନୁଗ୍ରହ କରନ୍ତୁ । ଆପଣ ଏଠାରେ ରହି ଯାଆନ୍ତୁ ଯେପରି କି, ମୁଁ ଆପଣଙ୍କ ନିତ୍ୟ ଦର୍ଶନ କରିବି ଓ ଭକ୍ତ ମାନେ ଆପଣଙ୍କର ଦର୍ଶନ ଲାଭ କରି କୃତାର୍ଥ ହେବେ।
ଭକ୍ତର ଅନୁରୋଧ ରକ୍ଷାକରି, ଭଗବାନ ଶ୍ରୀକୃଷ୍ଣ ଦେବୀ ରୁକ୍ମିଣୀଙ୍କ ସହିତ ସେହିଠାରେ ଅବସ୍ଥାନ କଲେ। ସେହି ଦିନ ଠାରୁ ପ୍ରଭୁଙ୍କ ନିବାସ ହେଲା ମହାରାଷ୍ଟ୍ରର ପନ୍ଧର ପୁର ଠାରେ। ଅଦ୍ୟାପି ପ୍ରଭୁ ପନ୍ଧରପୁରରେ ଭଗବାନ୍ ବିଠଲନାଥ ବୋଲାଇ ବିରାଜମାନ କରୁଛନ୍ତି। କୁହାଯାଏ, ପ୍ରଭୁଙ୍କୁ ଭକ୍ତ ପୁଣ୍ଡଳିକ ଯେଉଁ ଇଟା ଖଣ୍ଡକ ଦେଇ ଥିଲା, ପ୍ରଭୁ ସେହି ଇଟା ଖଣ୍ଡିକ ଉପରେ ଦଣ୍ଡାୟମାନ ହୋଇ ରହିଛନ୍ତି। ପ୍ରଭୁଙ୍କ ମହିମା ଅପାର,ତାଙ୍କ ପାଖରେ କାହାର କାମନା ଅପୂର୍ଣ୍ଣ ରହେନାହିଁ। ପ୍ରଭୁ ବିଠଲ ଭଗବାନଙ୍କ ଦର୍ଶନ ଏବଂ ଆଶିଷ ଲାଭ ନିମନ୍ତେ, ଭୁବୈକୁଣ୍ଠ ପନ୍ଧରପୁରକୁ ବର୍ଷ ତମାମ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ।
କେତେକ ପ୍ରବଚନରେ ଆଲୋଚନା ହୋଇଥାଏ ପୂର୍ବ ଜନ୍ମରେ ପୁଣ୍ଡଳିକ ଥିଲା ଶ୍ରୀମଦ୍ଭାଗବତରେ ବର୍ଣ୍ଣିତ ସୂର୍ଯ୍ୟ ବଂଶୀ ମହାରାଜା ମାନ୍ଧାତାଙ୍କ ପୁତ୍ର ମୁଚୁକୁନ୍ଦ। ସେ ଭଗବାନଙ୍କ ଠାରୁ ବରଲାଭ କରି ଏକ ନିଭୃତ ଗୁମ୍ଫାରେ ଶୋଇ ଥିଲେ । ଭଗବାନ ତାଙ୍କରି ସାହାଯ୍ୟରେ ଉତ୍ପୀଡ଼କ ଜରାସନ୍ଧର ମିତ୍ର କାଳଯବନକୁ ସଂହାର କରିଥିଲେ। ପନ୍ଧରପୁରରୁ ଦୁଇ କିଲୋମିଟର ଦୂର ଚନ୍ଦ୍ରଭାଗା ନଦୀକୂଳରେ ଭକ୍ତ ପୁଣ୍ଡଳିକଙ୍କ ମନ୍ଦିର ଅଛି । ଭଗବାନ ବିଠଲ ନାଥଙ୍କ ଦର୍ଶନସହ ଶ୍ରଦ୍ଧାଳୁଗଣ ଭକ୍ତ ପୁଣ୍ଡଳିକଙ୍କ ମନ୍ଦିର ଦର୍ଶନ କରିବାକୁ ଭୁଲନ୍ତି ନାହିଁ।
! ଜୟ ପ୍ରଭୁ ବିଠଲ ଭଗବାନ !
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧
Sign in
Sign in
Recover your password.
A password will be e-mailed to you.
Comments are closed.