ଗଞ୍ଜାମ/ବୁଗୁଡ଼ା : ୧୦/୩ : (ଡ. କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଭଞ୍ଜ ବଂଶୀୟ ଶେଷଦୁର୍ଗ, ସୌରଗଡ଼ “ବୁଗୁଡ଼ା” ଠାରେ ଜନ୍ମ ଗ୍ରହଣ କରିଥିବା ଡ଼କ୍ଟର ସ୍ଥିତଧୀ ରଥ ଶ୍ରୀ ବିରଞ୍ଚି ନାରାୟଣଙ୍କ ଆଶୀର୍ବାଦ କିରଣରେ ଦିପ୍ତିମୟ ହୋଇ ନିଜର ପ୍ରଚଣ୍ଡ ପ୍ରତିଭା ବଳରେ ସାରା ବିଶ୍ୱରେ ନିଜ ଚିତ୍ରର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଦୀର୍ଘ ତିନି ଦଶକ ଧରି ଗଞ୍ଜାମ ଜିଲ୍ଲାର କଳା ଏବଂ ସଂସ୍କୃତି ଉପରେ କାର୍ଯ୍ୟ କରି ଆସୁଥିବା ଡକ୍ଟର ରଥ, ପ୍ରାୟ ପାଞ୍ଚ ହଜାରରୁ ଅଧିକ କଳାକୃତି ନିର୍ମାଣ କରିଛନ୍ତି ଯେଉଁଥିରେ ବୁଡି ଆସୁଥିବା ଲୋକନୃତ୍ୟ ସମୁହ ପ୍ରତିବିମ୍ବିତ ହୋଇଛି । ମା ଶ୍ରୀମତୀ ସତ୍ୟଭାମା ଦେବୀଙ୍କ ଝୋଟି ଚିତ୍ତା, ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିରର କାରୁକାର୍ଯ୍ୟ ଏବଂ ପିତା ଶ୍ରୀ କମ୍ଭୁପାଣି ରଥଙ୍କ ପ୍ରତ୍ୟକ୍ଷ ପ୍ରେରଣା ହିଁ ତାଙ୍କୁ ଅନ୍ତର୍ଜାତୀୟ ଚିତ୍ରକର ହିସାବରେ ପରିଚିତ କରାଇଥିଲା । ରୁଷିଆର ପେଂଜା ସହରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ କଳାକାର ସମ୍ମିଳନୀରେ ଡକ୍ଟର ରଥ ଭାରତର ପ୍ରତିନିଧିତ୍ୱ କରି ଓଡିଶାର କଳା ସଂସ୍କୃତି ଉପରେ 17 ଗୋଟି କଳାକୃତି ନିର୍ମାଣ କରିଥିଲେ । ଲଣ୍ଡନ ଏବଂ ବିର୍ମିଂହମ ସହରରେ ନିଜ କଳାକୃତିର ଯାଦୁଗରୀ ଦେଖାଇ ଇଂଲଣ୍ଡରୁ ଅଜସ୍ର ପ୍ରଶଂସା ସାଉଁଟି ଥିଲେ । ଲିଥୁଆନିଆ, ଆର୍ମେନିଆ, ଋଷିଆ, ଇଂଲଣ୍ଡ, ଆମେରିକା, ତୁର୍କୀ ଭଳି ତିରିଶି ଗୋଟି ଦେଶରେ ଡକ୍ଟର ରଥଙ୍କ ଚିତ୍ର ପ୍ରଦର୍ଶିତ ହୋଇ ସାରିଛି । ଅନେକ ପୁରସ୍କାର ଏବଂ ସମ୍ମାନର ଅଧିକାରୀ ହୋଇଥିବା ଡକ୍ଟର ରଥ ବିଗତ ବର୍ଷ ଲଳିତ କଳା ଏକାଡେମୀର ବିକଶିତ ଭାରତ ପୁରସ୍କାର ଏବଂ ଓଡିଶା ସିଟିଜନ ଆୱାର୍ଡ ପାଇଛନ୍ତି । ଚିତ୍ରକୁ ପେଶା ହିସାବରେ ଗ୍ରହଣ କରିଥିବା ଡ଼କ୍ଟର ରଥ କ୍ଷୁଦ୍ର ଏବଂ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣକୁ ନିଜର ନିଶା ଭାବରେ ଗ୍ରହଣ କରିଛନ୍ତି । ତାଙ୍କ ଦ୍ୱାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ଅନେକ ଅନ୍ତର୍ଜାତୀୟ ପୁରସ୍କାର ପାଇଛି । ସେ ହେଉଛନ୍ତି ଦୃଶ୍ୟ କଳାରେ ଡକ୍ଟରେଟ କରିଥିବା ଗଞ୍ଜାମ ଜିଲ୍ଲାର ପ୍ରଥମ ବ୍ୟକ୍ତି । ଅଖିଳ ଭାରତୀୟ ସ୍ତରରେ କଳାକାରଙ୍କ ହିତରେ କାର୍ଯ୍ୟ କରି ଆସୁଥିବା ସଂସ୍କାର ଭାରତୀ ସଂସ୍ଥାନର ସେ ଉତ୍କଳ ପୂର୍ବପ୍ରାନ୍ତର ଦୃଶ୍ୟ କଳା ସଂଯୋଜକ ଭାବରେ କାର୍ଯ୍ୟ କରି ଆସୁଛନ୍ତି ।
Sign in
Sign in
Recover your password.
A password will be e-mailed to you.
Comments are closed.