ସ୍ୱାମୀ ପ୍ରଣବାନନ୍ଦଙ୍କ ମନରେ ଶ୍ରୀମାଙ୍କ ପ୍ରତି ଏକ ବିଶେଷ ଆକର୍ଷଣ ଥିଲା। ସେ ଶ୍ରୀମାଙ୍କୁ ଗଭୀର ଶ୍ରଦ୍ଧା କରୁଥିଲେ, ଏପରିକି ସେ ଅନେକ ସମୟ ଠାକୁରଠାରୁ ମଧ୍ୟ କିଛି ଅଧିକ ଭାବରେ ଦେଖୁଥିଲେ। କିନ୍ତୁ ମା ବାରମ୍ବାର ତାଙ୍କୁ ବୁଝାଇଥିଲେ—ଠାକୁର ଓ ସେ ଅଲଗା ନୁହଁନ୍ତି। ଯେପରି ଅଗ୍ନି ଓ ତାହାର ତାପକୁ ଅଲଗା କରାଯାଏ ନାହିଁ, ଯେପରି ଶିବ ଓ ଶକ୍ତି ଏକ ସତ୍ତା—ସେପରି ଠାକୁର ଓ ମା ଏକେ ଚେତନାର ପ୍ରକାଶ।
ଦୋଳପୂର୍ଣ୍ଣିମା ଦିନ ପ୍ରଣବାନନ୍ଦଙ୍କ ମନରେ ମାଙ୍କ ଚରଣରେ ଅବୀର ଦେବାର ଭାରି ଇଚ୍ଛା ଜାଗ୍ରତ ହେଲା। ସେଇ ଭାବନା ନେଇ ସେ ମାଙ୍କ ଘରକୁ ଗଲେ। କିନ୍ତୁ ସେଦିନ ସକାଳଠାରୁ ସେଠାରେ ବହୁତ ଭିଡ଼ ଥିଲା। ସେ କିଛି ଦ୍ୱିଧାରେ ପଡ଼ିଗଲେ—ଭିତରକୁ ପ୍ରବେଶ କରିବା ଠିକ୍ ହେବ କି? ସେଇ ସମୟରେ ସ୍ୱାମୀ ସୁରେନ୍ଦ୍ରନାଥ ତାଙ୍କୁ ଦେଖି ଆଗକୁ ଆସିଲେ ଏବଂ ମାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇଦେଲେ।
ମାଙ୍କୁ ଦେଖି ପ୍ରଣବାନନ୍ଦ ପ୍ରଣାମ କଲେ। କିନ୍ତୁ ତାଙ୍କ ମନରେ ଏକ ପ୍ରଶ୍ନ ଘୁରୁଥିଲା—ଏହି ମୁହୂର୍ତ୍ତରେ ମାଙ୍କ ପାଦରେ ଅବୀର ଦେବା ଠିକ୍ ହେବ କି? ମା ସବୁ ବୁଝୁଥିଲେ। ସେ ତାଙ୍କ ମନର କଥା ମଧ୍ୟ ବୁଝିଗଲେ। ମୃଦୁ ହସି କହିଲେ, “ପ୍ରଥମେ ଠାକୁରଙ୍କ ଛବିରେ ଅବୀର ଦିଅ, ତାପରେ ମୋର ପାଦରେ ଦିଅ।”
ପ୍ରଣବାନନ୍ଦ ସେହିପରି କଲେ। ପ୍ରଥମେ ଠାକୁରଙ୍କ ଛବିରେ, ପରେ ମାଙ୍କ ଚରଣରେ ଅବୀର ଦେଲେ। ତାପରେ ଭାବଭରା କଣ୍ଠରେ କହିଉଠିଲେ, “ଆଜି ଆପଣଙ୍କ ପାଦରେ ଅବୀର ଦେଇପାରିନଥାନ୍ତି, ତେବେ କଣ ଅମଙ୍ଗଳ ହେଇଥାନ୍ତା ଜାଣିନି!”
ମା ସ୍ନିଗ୍ଧ କଣ୍ଠରେ କହିଲେ, “କେତେଥର କହିଛି—ଠାକୁରେ ସବୁକିଛି। ତାଙ୍କ ଇଚ୍ଛାରେ ସବୁ ହୁଏ। ଠାକୁର ଓ ମୋତେ ଅଲଗା କରି ଦେଖନି ବାପା। ଅଲଗା ଭାବିବାଟା ହିଁ ଭୁଲ।”
( ମୂଳ ରଚନା ଵଂଗଳାରୁ ସଂଗ୍ରହ ଓ ସୌଜନ୍ୟ- ସାମାଜିକ ଗଣ ମାଧ୍ଯମ ।)
ଦୂରଭାଷା – ୯୩୩୯୬୧୦୧୬୮

Comments are closed.