ଭୁବନେଶ୍ବର : ଚଳିତ ମାସ ୧୭ରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହେବ। ପୂର୍ବାହ୍ଣ ସାଢେ ୧୧ଟାରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ, ସରକାରୀ ମୁଖ୍ୟ ସଚେତକଙ୍କ ସହିତ ଶାସକ ଦଳର ମନ୍ତ୍ରୀ, ବିଜେଡି ମୁଖ୍ୟ ସଚେତକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।
ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ। ବଜେଟ ଅଧିବେଶନରେ ୨୯ଟି କାର୍ଯ୍ୟ ଦିବସ ରହିଛି। ଚଳିତ ମାସ ୧୭ରୁ ୨୪ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ବିଧାନସଭା ଅଧିବେଶନ ଚାଲିବ।
ମାର୍ଚ୍ଚ ୯ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ ହେବ। ତାହାକୁ ଆଖି ଆଗରେ ରଖି ସୋମବାର ସନ୍ଧ୍ୟା ୫ଟାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ବିଧାୟକ ଦଳ ବୈଠକ ମଧ୍ୟ ହେବ। ସେହିପରି ଶଙ୍ଖ ଭବନରେ ସୋମବାର ସନ୍ଧ୍ୟା ୫ଟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଶାସକ ବିଜେପି ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ସୋମବାର ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ହେବ ବୋଲି ସୂଚନା ମିଳିଛି।
୧୭ରୁ ବିଧାନସଭା ଆରମ୍ଭ ହେବା କ୍ଷଣି ସରକାରଙ୍କୁ ଘେରିବାକୁ ବିଜେଡି ଓ କଂଗ୍ରେସ ସଜବାଜ ଚଳାଇଛନ୍ତି। ମଣ୍ଡି ଅବ୍ୟବସ୍ଥା, ମହିଳା ହିଂସା, ଆଇନଶୃଙ୍ଖଳା, ପୋଲାଭରମ୍, ମହାନଦୀ, ପିୟୁସିସି, ସଂରକ୍ଷଣ ପ୍ରସଙ୍ଗରେ ସରକାରଙ୍କୁ ଘେରିବ କଂଗ୍ରେସ। ଆନ୍ତଃରାଜ୍ୟ ବିବାଦ, ମହିଳା ହିଂସା, ଧାନ ସଂଗ୍ରହ, ବେରୋଜଗାରୀ, ୟୁଜିସିର ନୂଆ ନିୟମ, ମିଲର୍ସ ଓ ସରକାରଙ୍କ ମଧୁଚନ୍ଦ୍ରିକା ଓ ଅଙ୍ଗନବାଡ଼ିରେ ଜାତିପ୍ରଥା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିଜେଡି ପ୍ରସ୍ତୁତି ଚଳାଇଛି। ଅନ୍ୟପଟେ ବିରୋଧୀଙ୍କ ସବୁ ବିରୋଧର ମୁକାବିଲା ପାଇଁ ଶାସକ ଦଳ ରଣନୀତି ପ୍ରସ୍ତୁତ କରିଛି। ଶାସକ-ବିରୋଧୀଙ୍କ ତୁ-ତୁ ମେ-ମେ ଭିତରେ ପୂର୍ବଥର ଗୃହକାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ତେଣୁ ବଜେଟ ଅଧିବେଶନ ସୁରୁଖୁରୁରେ ଶେଷ କରିବାକୁ ବାଚସ୍ପତି ଚାହଁୁଛନ୍ତି। ଗୃହରେ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜିବ ସେଥିପାଇଁ ସୋମବାର ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି।
ଏଥର ବିଧାନସଭା ବଜେଟ ଅଧିବେଶନରେ ଭିନ୍ନ ଚିତ୍ର ଦେଖିବାକୁ ମିଳିପାରେ। ନିକଟ ଅତୀତରେ ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡଙ୍କ ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି। ସେହିଭଳି ବିଧାୟିକା ସୋଫିଆ ଫିର୍ଦୋଷଙ୍କ ସ୍ବର କଂଗ୍ରେସ ସହ ମିଶୁଛି ନା ଭିନ୍ନ ରହୁଛି ତାହା ମଧ୍ୟ ଦେଖିବାକୁ ରାଜନୈତିକ ମହଲ ଅପେକ୍ଷା କରିଛି।
Comments are closed.