ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଘଟଣା : ୪ ଶିକ୍ଷକ ଓ ଜଣେ ପିଅନ ଗିରଫ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ଘଟିଥିବା ୭ମ ଶ୍ରେଣୀ ଛାତ୍ରୀ ବଳାତ୍କାର ଘଟଣାରେ ରାଜକନିକା ଥାନା ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଓଳାଭର ସ୍ଥିତ ଅକ୍ସଫୋର୍ଡ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷକ ଚନ୍ଦନ କୁମାର ପୃଷ୍ଟି (୩୭), ବିଶ୍ୱରଞ୍ଜନ ସାହୁ (୩୧), ରଶ୍ମିକାନ୍ତ ବିଶ୍ୱାଳ (୪୭), ମିନତୀ ବାଇ (୩୪) ଓ ପିଅନ ରଶ୍ମିରଞ୍ଜନ ରଣା (୩୨)। ଅଭିଯୁକ୍ତ ଶିକ୍ଷକମାନଙ୍କୁ ପୁଲିସ ଜେରା କରିବା ବେଳେ ଜାଣିବାକୁ ପାଇଛି ଯେ ଏମାନେ ଗତ ୪ ବର୍ଷ ଧରି ଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏ ନେଇ ଛାତ୍ରୀ ଜଣକ ବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ଜଣାଇଥିଲେ। ହେଲେ ସ୍କୁଲ ପ୍ରିନ୍ସିପାଲ ଏହାକୁ ଗୁରୁତ୍ୱ ଦେଉ ନଥିଲେ। ଅଭିଯୁକ୍ତ ଶିକ୍ଷକମାନେ ଛାତ୍ରୀଙ୍କୁ ଧମକ ଦେଉଥିଲେ ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ। ଯଦି କାହାକୁ ଘଟଣା ସମ୍ପର୍କରେ କହିବେ ତେବେ ଛାତ୍ରୀଙ୍କ ସାନ ଭାଇ ଓ ତାକୁ ଜୀବନରୁ ମାରିଦେବେ। ଫଳରେ ଛାତ୍ରୀ ଜଣକ ନିରବ ରହୁଥିଲେ ବୋଲି ପୁଲିସ ତଦନ୍ତ କରି ଜାଣିବାକୁ ପାଇଛି। ଏହି ଘଟଣା ପ୍ରଘଟ ହେବା ପରେ ଶନିବାର କେନ୍ଦ୍ରାପଡ଼ା ଏସ୍ପି ସିଦ୍ଧାର୍ଥ କଟ୍ଟାରିଆ, ଜିଲା ପୁଲିସ ମୁଖ୍ୟାଳୟ ଡିଏସ୍ପି ସରୋଜ ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଏସ୍ପି କହିଛନ୍ତି ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟରେ ୩ ଜଣ ଶିକ୍ଷକ ଓ ଜଣେ ପିଅନ ବଳାତ୍କାର କରିବା ଏବଂ ଏଥିରେ ଜଣେ ଶିକ୍ଷୟିତ୍ରୀ ସହଯୋଗ କରିବା ଏକ ଜଘନ୍ୟ ଅପରାଧ।
ଅଭିଯୁକ୍ତମାନଙ୍କ ବିରୋଧରେ ରାଜକନିକା ଥାନା କେସ ନଂ. ୫୪/୨୦୨୬ ଭାରତୀୟ ନ୍ୟାୟ ସଂହିତାର ଦଫା ୬୫(୨), ୭୦(୨), ୬୦, ୪୯, ୩୫୧(୨) (୩), ୩(୫), ୪ ଓ ୬ ପୋକ୍ସ ଆଇନ୍ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ପୁଲିସ ତଦନ୍ତ କରୁଛି। ଏହି ମାମଲାରେ ଆଉ କାହାରି ସମ୍ପୃକ୍ତି ଆସିଲେ ତାଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ସେ କହିଛନ୍ତି। ରାଜକନିକା ଥାନାଧିକାରୀ ସଞ୍ଜୟ କୁମାର ମଲ୍ଲିକ କହିଛନ୍ତି ଓଳାଭରରେ ଥିବା ଅକ୍ସଫୋର୍ଡ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଜଣେ ୭ମ ଶ୍ରେଣୀର ଛାତ୍ରୀଙ୍କୁ ୩ ଜଣ ଶିକ୍ଷକ, ଜଣେ ପିଅନ ବଳାତ୍କାର କରୁଥିଲେ ଓ ଏଥିରେ ଜଣେ ଶିକ୍ଷୟିତ୍ରୀ ସହଯୋଗ କରୁଥିଲେ। ଏ ନେଇ ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ହେବା ପରେ ଆମେ ତଦନ୍ତ କରିଥିଲୁ। ତଦନ୍ତ ବେଳେ ଜଣାପଡ଼ିଥିଲା ୩ ଶିକ୍ଷକ ଓ ଜଣେ ପିଅନ ଛାତ୍ରୀଙ୍କୁ ବଳାତ୍କାର କରୁଥିଲେ। ଏଥିରେ ଜଣେ ଶିକ୍ଷୟିତ୍ରୀ ସହଯୋଗ କରୁଥିଲେ। ଫଳରେ ୫ ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ଅଧିକ ତଦନ୍ତ କରାଯାଉଛି। ଅଭିଯୁକ୍ତମାନଙ୍କର ଡାକ୍ତରୀ ମାଇନା ହେବ। ଏହାପରେ ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନାଧିକାରୀ ଶ୍ରୀ ମଲ୍ଲିକ କହିଛନ୍ତି। ସେ କହିଛନ୍ତି ସ୍କୁଲର ଯେଉଁ ସ୍ଥାନରେ ଛାତ୍ରୀଙ୍କୁ ବଳାତ୍କାର କରାଯାଉଥିଲା ସେଠାରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି। ସୂଚନା ଥାଉକି ସମ୍ପୃକ୍ତ ବିଦ୍ୟାଳୟରେ ୪ ବର୍ଷ ଧରି ଛାତ୍ରୀଙ୍କୁ ବଳାତ୍କାର କରାଯାଉଥିବା ବେଳେ ଛାତ୍ରୀ ଜଣକ ଭୟରେ ଘଟଣା ସମ୍ପର୍କରେ ଘରେ କହୁ ନଥିଲେ। ହେଲେ ଦିନକୁ ଦିନ ତାଙ୍କ ମାନସିକ ଅବସ୍ଥା ବିଗିଡ଼ି ଗଲା। ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଲା। ପରିବାର ଲୋକେ ଜାଣିବାକୁ ଚାହିଁବାରୁ ଛାତ୍ରୀ ଜଣକ ଏ ନେଇ ଗତ ୧୪ ତାରିଖରେ ଘଟଣା ସମ୍ପର୍କରେ ତାଙ୍କ ମା’ଙ୍କୁ କହିଥିଲେ। ଏହା ପରଠାରୁ ଛାତ୍ରୀଙ୍କୁ ମା ବିଦ୍ୟାଳୟ ପଠାଇ ନଥିଲେ। ପରିବାର ଲୋକଙ୍କ ମାନସିକ ଅବସ୍ଥା ମଧ୍ୟ ଅସନ୍ତୁଳିତ ହୋଇ ଯାଇଥିଲା। କାରଣ ବିଦ୍ୟାଳୟ କର୍ତ୍ତୃପକ୍ଷ ବେଶ ପ୍ରଭାବଶାଳୀ। ଛାତ୍ରୀଙ୍କ ପରିବାର ଲୋକେ ନିମ୍ନ ମଧ୍ୟବିତ ଶ୍ରେଣୀର। ତେଣୁ ସେମାନେ ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବିରୋଧରେ ଯିବାକୁ ସାହସ କରି ନଥିଲେ। ଛାତ୍ରୀଙ୍କ ମା’ ଏ ନେଇ ଜିଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷାଙ୍କ ନିକଟରେ ଅଭିଯୋଗ କରିଥିଲେ। ଫଳରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ସ୍ବାଗତିକା ପାତ୍ର ଛାତ୍ରୀଙ୍କ ଘରକୁ ଯାଇ ଛାତ୍ରୀ ଓ ତାଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ଼ କରିଥିଲେ। ଏହାପରେ ଶିଶୁ ମଙ୍ଗଳ କମିଟି ଥାନାକୁ ଜଣାଇଥିଲା।
ପୁଲିସ ଘଟଣା ସଂକ୍ରାନ୍ତରେ ଜାଣିବା ପରେ ସମ୍ପୃକ୍ତ ବିଦ୍ୟାଳୟକୁ ଯାଇ ତଦନ୍ତ କରିଥିଲା। ଅନ୍ୟପକ୍ଷରେ ରାଜ୍ୟରେ ପ୍ରତିଦିନ ଧର୍ଷଣ, ହତ୍ୟା ଓ ମହିଳା ନିର୍ଯାତନା ବଢି ଚାଲିଥିବା ବେଳେ ଏହି ଘଟଣାରେ ଶନିବାର ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡାକ୍ତର ଦେବସ୍ମିତା ଶର୍ମା, ବ୍ଲକ କଂଗ୍ରେସ ସଭାପତି ପଙ୍କଜ ଦାସଙ୍କ ଏକ ଟିମ ପୀଡ଼ିତା, ତାଙ୍କ ବାପା, ମାଆଙ୍କୁ ଭେଟି ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଅନୁଧ୍ୟାନ କରି ନ୍ୟାୟ ଦାବି କରିବା ସହ କଠୋର ଦଣ୍ଡ ଦାବି ଜରିଛନ୍ତି। ଅପରାହ୍ନରେ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ସରିତା ସାହୁ, ରାଜ୍ୟ ଜୋନ ସଭାନେତ୍ରୀ ଜ୍ୟୋତ୍ସ୍ନା ପରିଡା, ସଂଖ୍ୟାଲଘୁ ସେଲର ରାଜ୍ୟ ସହ ଆବାହିକା ରିଜୱାନା ବେଗମ, ଜିଲ୍ଲା ପରିଷଦ ସଭାନେତ୍ରୀ ଲିଲିତା ଦାସ, ବିଜୁ ଜନତା ଦଳର ରାଜ୍ୟ ଉପ ସଭାନେତ୍ରୀ ରୋଷ୍ନା ସାହୁ, ବ୍ଲକ ଅଧ୍ୟକ୍ଷା ମିନତୀ ରାଉତ, ରାଜକନିକା ବ୍ଲକ ବିଜେଡି ସଭାନେତ୍ରୀ ସଂଯୁକ୍ତା ଶତପଥୀ ପ୍ରମୁଖ ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କୁ ଭେଟି ନ୍ୟାୟ ଦାବି କରିବା ସହ ପୋଲିସର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ ହୋଇଛନ୍ତି।
ଜଣେ ନାବାଳିକା ଛାତ୍ରୀଙ୍କୁ ଖୋଦ ସେହି ସ୍କୁଲର ଶିକ୍ଷକ ମାନେ ଦୀର୍ଘ ବର୍ଷ ଧରି ଗଣଦୁଷ୍କର୍ମ କରିବା ଭଳି ସଙ୍ଗୀନ ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ବିଧାନସଭା ଚାଲି ଥିବା ବେଳେ ଏଭଳି ଏକ ସ୍ପର୍ଶକାତର ଘଟଣା ସାରା ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିକୁ ତାଜା କରିଦେଇଛି ବୋଲି ସେମାନେ କହିଛନ୍ତି।
Comments are closed.