ରାଡାରରୁ ଗାଏବ ପରେ ପାହାଡ଼ରେ ପିଟି ହୋଇ ସୁଖୋଇ-୩୦ କ୍ରାସ୍

ବାୟୁସେନାର ୨ ଯୋଦ୍ଧା ଶହୀଦ

0

ନୂଆଦିଲ୍ଲୀ : ଆସାମ ଆକାଶରେ ଅଘଟଣ, ଦୁର୍ଘଟଣାଗ୍ରସ୍ତ ହେଲା ସୁଖୋଇ ଯୁଦ୍ଧ ବିମାନ । ଭାରତୀୟ ବାୟୁସେନାର ସୁଖୋଇ Su-30MKI ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଆସାମର କାର୍ବି ଆଂଲୋଙ୍ଗ ଅଞ୍ଚଳରେ ଘଟିଥିବା ବାୟୁସେନା ପକ୍ଷରୁ ସୂଚନା ମିଳିଛି । ବିମାନଟି ଏକ ଟ୍ରେନିଂ ମିଶନରେ ଥିବା ସମୟରେ ଏହି ଅଘଟଣ ଘଟିଛି । ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟ୍ ଶହୀଦ ହୋଇଥିବା ବାୟୁସେନା ପକ୍ଷରୁ ଶୁକ୍ରବାର ନିଶ୍ଚିତ କରାଯାଇଛି । ଆସାମର ଯୋରହାଟଠାରୁ ପ୍ରାୟ ୬୦ କିଲୋମିଟର ଦୂର କାର୍ବି ଆଂଲୋଙ୍ଗ ଅଞ୍ଚଳରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମାର୍ଚ୍ଚ ୫ ତାରିଖ ସନ୍ଧ୍ୟା ପ୍ରାୟ ୭:୪୨ ମିନିଟ୍ରେ ବିମାନର ରାଡାର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । କହିରଖୁଛୁ ଯେ, ଆସାମର ଯୋରହାଟ ଏୟାରପୋର୍ଟରୁ ବିମାନଟି ଉଡ଼ାଣ ଭରିଥିଲା । ଭାରତୀୟ ବାୟୁସେନାର ସୂଚନା ଅନୁଯାୟୀ, ଶହୀଦ ହୋଇଥିବା ଦୁଇ ପାଇଲଟ୍ ହେଲେ ସ୍କ୍ଵାଡ୍ରନ୍ ଲିଡର୍ ଅନୁଜ ଓ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୂର୍ବେଶ ଦୁରାଗକର ।

ସର୍ଚ୍ଚ ଅପରେସନ ଜାରି:

ରକ୍ଷା ମନ୍ତ୍ରଣାଳୟର ଜନସମ୍ପର୍କ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣଲ ମହେନ୍ଦ୍ର ରାୱତଙ୍କ ସୂଚନା ଅନୁଯାୟୀ, ବିମାନଟି ନିଖୋଜ ହେବା ପରେ ବାୟୁସେନା ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ସନ୍ଧ୍ୟା ସମୟରେ ରଡାର ସହ ସମ୍ପର୍କ ଛିନ୍ନ ହେବା ପରେ ବିମାନଟି କ୍ରାସ୍ ହୋଇଥିବା ସ୍ପଷ୍ଟ ହୋଇଛି । ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ମିଳିବା ସହ ଦୁଇ ଜଣ ଯାକ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ଏହି ଦୁଃଖଦ ଘଟଣା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ବାୟୁସେନା ପକ୍ଷରୁ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

୨୦୦୦ ମସିହା ପ୍ରାରମ୍ଭରେ ଭାରତୀୟ ବାୟୁସେନାରେ ସୁଖୋଇ Su-30MKI ସାମିଲ କରାଯାଇଥିଲା । ଏହା ବାୟୁସେନାର ସବୁଠାରୁ ଶକ୍ତିଶାଳୀ ଏବଂ ଆଗଧାଡ଼ିର ଯୁଦ୍ଧ ବିମାନ ଭାବେ ପରିଗଣିତ ହୁଏ । ଏହା ଏକ ଟୁ-ସିଟର ଅତ୍ୟାଧୁନିକ ଯୁଦ୍ଧ ବିମାନ । ଏହାକୁ ରୁଷିଆର ‘ସୁଖୋଇ’ କମ୍ପାନୀ ନିର୍ମାଣ କରିଛି । ଭାରତୀୟ ବାୟୁସେନା ପାଖରେ ଏବେ ୨୦୦ରୁ ଅଧିକ ସୁଖୋଇ ବିମାନ ରହିଛି । ଗତ କିଛି ବର୍ଷ ମଧ୍ୟରେ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଘଟଣା ବାୟୁସେନା ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି ।

ଏହା ପ୍ରଥମ ଘଟଣା ନୁହେଁ; ପୂର୍ବରୁ ମଧ୍ୟ ଅନେକ ସମୟରେ ସୁଖୋଇ ବିମାନ ଦୁର୍ଘଟଣାର ଶିକାର ହୋଇଛି । ଜୁନ୍ ୨୦୨୪ରେ ମହାରାଷ୍ଟ୍ରର ନାସିକ୍ ଜିଲ୍ଲାରେ ଏକ ସୁଖୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଜାନୁଆରୀ ୨୦୨୩ରେ ଗ୍ୱାଲିଅର୍ ଏୟାରବେସରୁ ଉଡ଼ାଣ ଭରିବା ପରେ ଆଉ ଏକ Su-30 ବିମାନ କ୍ରାସ୍ ହୋଇଥିଲା । ବାୟୁସେନା ପକ୍ଷରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.